କନକ ବ୍ୟୁରୋ : ରାଜ୍ୟରେ କରୋନା ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସରକାର ନୂଆ କଟକଣା ଜାରି କରିଛନ୍ତି । ପ୍ରତ୍ୟେକ ବିଭାଗ ଅଧା କର୍ମଚାରୀଙ୍କୁ ନେଇ କାମ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ । କର୍ମଚାରୀଙ୍କ ପାଇଁ କର୍ତ୍ତୃପକ୍ଷ ରୋଷ୍ଟର ଡ୍ୟୁଟି ଧାର୍ଯ୍ୟ କରିବେ । ଗର୍ଭବତୀ ଓ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଅଫିସ୍‌ ଆସିବା କିମ୍ବା ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ବାଧ୍ୟ ନ କରିବାକୁ କୁହାଯାଇଛି ।

ତେବେ ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସ ସମେତ ଯେଉଁ ଅଫିସଗୁଡ଼ିକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସହ ସଂଶ୍ଳିଷ୍ଟ ଅଛନ୍ତି ସେଗୁଡ଼ିକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି । ଏହି ଅଫିସଗୁଡ଼ିକ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ସେହିଭଳି ଷ୍ଟାଫ୍‌ ସିଲେକ୍ସନ କମିସନ, ପବ୍ଲିକ୍‌ ସର୍ଭିସ୍‌ କମିସନ, ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିସନ ପ୍ରଭୃତି ଅଫିସ୍‌ଗୁଡ଼ିକ ୭୫ ଭାଗ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଗ୍ରୁପ୍‌-ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ୍‌ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ । ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେମାନେ ଘରୁ କାମ କରିପାରିବେ । ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।