କନକ ବ୍ୟୁରୋ: ନୂଆବର୍ଷ ଆଣିଲା ଖୁସିଖବର । ଦୈନିକ ଏକଅଙ୍କ ଛୁଇଁଲା ଦୈନିକ ସଂକ୍ରମଣ ସଂଖ୍ୟା । ଦିନେ କରୋନାର ହଟସ୍ପଟ ଥିବା ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତକାଲି ମାତ୍ର ୮ ଜଣ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ କିଛିମାସ ତଳେ ଦୈନିକ ସଂକ୍ରମଣ ୩ ଅଙ୍କ ଥିଲା । ଏବେ ଏହା ତଳମୁହାଁ ହୋଇ ଦୁଇଅଙ୍କ ହୋଇଥିବାବେଳେ ନୂଆବର୍ଷରେ ଏକ ଅଙ୍କ ହେବା କରୋନା କମୁଥିବାର ସଙ୍କେତ ଦେଇଛି । ମାର୍ଚ ଓ ଏପ୍ରିଲ ମାସରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ ଥିଲା । ବର୍ତମାନ ଏବେ ରାଜଧାନୀ ସେହି ସ୍ଥିତିକୁ ଆସିଛି ।
ପ୍ରାୟ ୮ ମାସ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିବା, ରାଜଧାନୀ କରୋନାମୁକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଚଳିତବର୍ଷ ପ୍ରଥମ ତିନି ଦିନରେ ୧୩, ୯ ଓ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଦିନରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ଏବେ ୨୦୮ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଜାନୁଆରୀ ଶେଷ କିମ୍ବା ଫେବୃଆରୀ ସୁଦ୍ଧା ରାଜଧାନୀରେ କେହି କରୋନା ଆକ୍ରାନ୍ତ ନଥିବେ । ବହୁ ଲୋକଙ୍କ ମଧ୍ୟରେ କରୋନା ପ୍ରତିଷେଧକ ଶକ୍ତି ବଢିଛି । ତେବେ ବି ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । କରୋନା କଟକଣା ମାନିବାକୁ ପଡିବ ।