ଦେଶରେ ତଳ ମୁହାଁ କରୋନା ପାରା । ଗତ ୨୪ ଘଂଟାରେ ୪୩ ହଜାର ୮୯୩ ଆକ୍ରାନ୍ତ, ୫୦୮ ମୃତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ନିକଟତର

142

କନକ ବ୍ୟୁରୋ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତଭାବେ କମିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୩,୮୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୦୮ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ନିକଟବର୍ତ୍ତୀ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୭୯,୯୦,୩୨୨ରେ ପହଞ୍ଚିଛି । ଏହା ମଧ୍ୟରୁ ୬୧୦୮୦୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୦,୦୧୦ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୨୫୯୫୦୯ ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର  ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୯ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୧.୬୬ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ୭୪ ହଜାରକୁ ବୃଦ୍ଧି ପାଇଛି ।  ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ।