ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କେତେ ଭୟଙ୍କର ଆଫ୍ରିକା ଷ୍ଟ୍ରେନ ?

3,024

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କରୋନା ଭାଇରସର ଏହି ନୂଆ ଷ୍ଟ୍ରେନର ନାଁ ହେଉଛି ୫୦୧. ଭି-୨ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ଦକ୍ଷିଣ ଆଫ୍ରିକାର ଇଷ୍ଟ କେପ୍ ଓ ୱେଷ୍ଟ କେପ ଓ କ୍ୱାଜୁଲୁ ନାତାଲରେ ପ୍ରଥମେ ଏହା ସୃଷ୍ଟି ହୋଇଛି । ବିନା ଲକ୍ଷଣଯୁକ୍ତ ରୋଗୀଙ୍କ ଶରୀରରେ ଏହି ନୂଆ ଭାଇରସ ଦେଖାଯାଉଥିବା କଥା ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଦ୍ୱିତୀୟ ଲହର କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ ଯୋଗୁଁ ହୋଇଥିବା ସେ କହିଛନ୍ତି । ପ୍ରଥମ ଲହର ତୁଳାନା ରେ କରୋନାର ଏହି ନୂଆ ରୂପ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା କଥା ପ୍ରାଥମିକ ତଥ୍ୟରୁ ଜଣାପଡିଛି । ପ୍ରଥମ ସଂକ୍ରମଣ ତୁଳନାରେ ଏହାଦ୍ୱାରା ବହୁ ଅଧିକ ସଂଖ୍ୟାରେ ରୋଗୀ ବଢିବା ଆଶଙ୍କା ଦେଖାଦେଇଛି । ସଂପୃକ୍ତ ଦେଶରେ ବର୍ତମାନ ୮ ହଜାର ୫ ଶହ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।

ଅଗଷ୍ଟରେ ଏହା ଥିଲା ୮ ହଜାର ୩ ଶହ । ସ୍ଥାନୀୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପୂର୍ବ ଅପେକ୍ଷା ଦ୍ୱିତୀୟ ଲହରରେ କରୋନାର ଏହି ନୂଆ ରୂପ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତମାନ ସୁଦ୍ଧା ୮ଟି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ସେବା ବାତିଲ କରିସାରିଲେଣି । ଏହି ପ୍ରମୁଖ ଦେଶଗୁଡିକ ହେଲା, ବ୍ରିଟେନ, ଜର୍ମାନୀ, ତୁର୍କୀ, ଇସ୍ରାଏଲ, ସ୍ୱିଜରଲାଣ୍ଡ, ଉଜବେକିସ୍ତାନ ଓ ନେଦରଲାଣ୍ଡସ ।