କନକ ବ୍ୟୁରୋ : କରୋନା ଭାଇରସ୍ କୌଣସି ପ୍ରାକୃତିକ ବିପଦ ନୁହେଁ ଏହା ଚୀନ୍ର ଉହାନ୍ ଲ୍ୟାବ୍ରେ ବୈଜ୍ଞାନିକଙ୍କ ଦ୍ବାରା ସୃଷ୍ଟି ହୋଇଛି ଏବଂ ସେଠାରେ ହିଁ ଏହା ବିକଶିତ ହୋଇ ସାରା ବିଶ୍ବରେ ଆତଙ୍କ ଚଳାଇଛି ବୋଲି ନୂଆ ଗବେଷଣା ରିପୋର୍ଟରେ ଦାବି କରାଯାଇଛି । ‘ଡେଲି ମେଲ୍’ରେ ପ୍ରକାଶିତ ରିପୋର୍ଟ ମୁତାବକ ବ୍ୟାପକ ଗବେଷଣା ପରେ ଉହାନ୍ ଲ୍ୟାବ୍ର ଏହି ରହସ୍ୟକୁ ପର୍ଦ୍ଦାଫାସ କରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି । ଚୀନ୍ ବୈଜ୍ଞାନିକମାନେ ଉହାନ ଲ୍ୟାବ୍ରେ ଅତି ବିପଜ୍ଜନକ ଭାଇରସ୍ ତିଆରି କରିଥିଲେ ଏବଂ ପରେ ଏହି ଘାତକ ଏସ୍ଏଆର୍ଏସ୍-ସିଓଭି-୨ଭାଇରସ୍କୁ ରିଭର୍ସ-ଇଂଜିନିୟରିଂ ଭର୍ସନରେ ଲୁଚାଇବାକୁ ପ୍ରୟାସ କରିଥିଲେ । ଚୀନ୍ ବୈଜ୍ଞାନିକମାନେ ବହୁତ ବଡ଼ ଷଡ଼ଯନ୍ତ୍ର କରି ଏହାକୁ ପ୍ରାକୃତିକ ଭାବେ ବିକଶିତ ହୋଇଥିବା ଭାଇରସ୍ ଆଖ୍ୟା ଦେଇଥିଲେ ଏବଂ ଏହା କୌଣସି ପ୍ରାଣୀଠାରୁ ଆସିଥିବା କହିଥିଲେ । ସେହି ଅନୁସାରେ ବିଶ୍ବବ୍ୟାପୀ ପ୍ରଚାର କରାଯାଇଥିଲା ଏବଂ ଭାଇରସ୍ ନିୟନ୍ତ୍ରଣ ଦିଗରେ ଚୀନ୍ କୌଣସି ପଦକ୍ଷେପ ନେଇନଥିଲା ।
ଏଚ୍ଆଇଭି ଟିକା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ବ୍ରିଟିଶ୍ ପ୍ରଫେସର ଏଙ୍ଗ୍ସ ଡଲ୍ଗ୍ଲିସ୍ ଏବଂ ନରୱେର ପ୍ରଖ୍ୟାତ ମହାମାରୀ ବିଶେଷଜ୍ଞ ବୈଜ୍ଞାନିକ ଡ. ବିର୍ଗର ସୋସେନ୍ସେନ ମିଳିତ ଭାବେ ଗବେଷଣା କରି ଚୀନ୍ ବୈଜ୍ଞାନିକଙ୍କ କଳା କାରନାମାକୁ ପଦାକୁ ଆଣିଛନ୍ତି । ଗବେଷଣା ସମୟରେ ସେମାନେ ଭାଇରସ୍ରେ ଏକ ‘ୟୁନିକ୍ ଫିଙ୍ଗର୍ପ୍ରିଣ୍ଟ୍’ ମଧ୍ୟ ପାଇଛନ୍ତି । ଲ୍ୟାବ୍ରେ ବିକଶିତ ହୋଇନଥିଲେ ଏହି ଫିଙ୍ଗର୍ ପ୍ରିଣ୍ଟ ନଥାନ୍ତା ବୋଲି ସେମାନେ କହିଛନ୍ତି । ଚୀନ୍ ଏହି ଗବେଷଣା ରିପୋର୍ଟକୁ ଖଣ୍ଡନ କରିଥିଲେ ମଧ୍ୟ ଏହାକୁ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏ ବାବଦରେ ଗୁଇନ୍ଦା ସଂସ୍ଥା ତଦନ୍ତ କରି ୯୦ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି ।
ନୂଆ ଅଧ୍ୟୟନରେ ଦାବି କରାଯାଇଛି ଯେ ଚୀନ୍ ଉହାନ ଲ୍ୟାବ୍ରେ କରୋନା ଭାଇରସ୍ ବିକାଶ ସଂପର୍କିତ ସମସ୍ତ ରିପୋର୍ଟକୁ ଜାଣିଶୁଣି ନଷ୍ଟ କରିଦେଇଛି କିମ୍ବା ଲୁଚାଇ ଦେଇଛି । ଯେଉଁ ବୈଜ୍ଞାନିକମାନେ ଚୀନ୍ରେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ସେମାନଙ୍କୁ କମ୍ୟୁନିଷ୍ଟ ସରକାର ବଳପୂର୍ବକ ନିରବ କରାଇ ଦେଇଛି ଏବଂ ଅନେକ ନିଖୋଜ ହୋଇଯାଇଛନ୍ତି । ମାମଲାର ଗମ୍ଭୀରତାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ହୁ ଆରମ୍ଭରୁ ହିଁ ଏ ବାବଦ ତଥ୍ୟକୁ ଅଣଦେଖା କରିଚାଲିବା ସହ ଉପର ଠାଉରିଆ ତଦନ୍ତ କରି ଏକ ରିପୋର୍ଟ ଦେବାରୁ ଏହାକୁ ନେଇ ବିଭ୍ରାନ୍ତି ଉପୁଜିଥିଲା। ଏବେ ସାମ୍ନାକୁ ଆସିଥିବା ନୂଆ ତଥ୍ୟ ଆଧାରରେ ଅନ୍ତର୍ଜାତୀୟସ୍ତରରେ ତଦନ୍ତ ପାଇଁ ଆମେରିକା ଦାବି କରିଛି ।