ସରକାରୀ କର୍ମଚାରୀଙ୍କ ପାଇଁ ‘କରୋନା’ କଟକଣା: ଅସୁସ୍ଥ ଅନୁଭବ କଲେ ଅଫିସ୍ ଆସିବା ମନା; ନିୟମ ଅନୁପାଳନ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

Advertisment
ସରକାରୀ କର୍ମଚାରୀଙ୍କ ପାଇଁ ‘କରୋନା’ କଟକଣା: ଅସୁସ୍ଥ ଅନୁଭବ କଲେ ଅଫିସ୍ ଆସିବା ମନା; ନିୟମ ଅନୁପାଳନ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: କରୋନା ପ୍ରତିହତ ପାଇଁ ଭାରତ ସରକାର ଜାରି କରିଥିବା ସାମାଜିକ ଦୂରତା ନିୟମକୁ କାର୍ଯ୍ୟରତ କର୍ମଚାରୀମାନେ ଠିକ୍ ଭାବେ ପାଳନ କରୁନାହାନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିସ୍ତୃତ ନିର୍ଦ୍ଦେଶାବାଳୀ ଜାରି କରିଛି। ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ କଡ଼ାକଡ଼ି ଏହି ନିୟମ ଅନୁପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଲଂଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀ ଅଫିସରେ ସର୍ବଦା ମୁହଁରେ ମାସ୍କ୍ ପରିଧାନ କରିବେ। ପରସ୍ପର ଭିତରେ ଅନ୍ୟୁନ ଦୁଇ ମିଟର ବ୍ୟବଧାନ ରଖିବା ସହିତ ଅନାବଶ୍ୟକ ଭାବେ ଏକାଠି ହେବେନାହିଁ। ନିଜ ହାତକୁ ବାରମ୍ବାର ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ବାସ୍ ଓ ସାନିଟାଇଜରରେ ଧୋଇବେ। ଅଫିସରେ ସାମାଜିକ ଦୂରତା ଯେପରି ରକ୍ଷା ହୋଇପାରିବ ସେହି ଅନୁଯାୟୀ ସିଟିଂ ବ୍ୟବସ୍ଥା କରାଯିବ। ସମସ୍ତ ମିଟିଂ ଭିଡିଓ କନ୍ପରେନ୍ସିଂ ଜରିଆରେ କରାଯିବ। ଅଫିସ୍ ବିଲ୍ଡିଂ, କୋଠରୀ, ସିଡ଼ି ପାହାଚ, କାନ୍ଥ ଓ ବାଡ଼କୁ ଭଲ ଭାବେ ବିଶୋଧକରେ ବିଶୋଧନ କରାଯିବ। ସରକାରୀଗାଡ଼ିଗୁଡ଼ିକୁ ମଧ୍ୟ ବିଶୋଧନ କରାଯିବ। ପ୍ରତ୍ୟେକ ସରକାରୀ ଅଫିସର ପ୍ରବେଶ ପଥରେ ସମସ୍ତଙ୍କ ପାଇଁ ସାନିଟାଇଜର ମହଜୁଦ ରଖାଯିବ। ଅଫିସକୁ ଆସୁଥିବା ବ୍ୟକ୍ତିମାନଙ୍କୁ ଅପେକ୍ଷା ନ କରାଇ ତୁରନ୍ତ ସେବା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ।

ଡାକ ଗ୍ରହଣ ଓ ପ୍ରେରଣକୁ ଅଫିସର ପ୍ରବେଶ ଦୁଆର ପର୍ଯ୍ୟନ୍ତ ସୀମିତ ରଖାଯିବ। ଅଫିସର ସୁରକ୍ଷା କର୍ମୀ ଓ ଡ୍ରାଇଭରମାନେ ସାମାଜିକ ଦୂରତା ନିୟମକୁ ଅନୁପାଳନ କରିବେ। କୌଣସି ଅଫିସ ପରିସରରେ ପାନ ଛେପ କିମ୍ବା ଛେପ ପକାଇବାକୁ ବାରଣ କରାଯାଇଛି। ଏହାର ଉଲଂଘନ କଲେ ଅଧିକାରୀ ହୁଅନ୍ତୁ କି ସାଧାରଣ ଲୋକ ଆଇନ ଅନୁଯାୟୀ ଦଣ୍ଡିତ ହେବେ। କୌଣସି ଅଧିକାରୀ କିମ୍ବା କର୍ମଚାରୀ ଅସୁସ୍ଥ ଅନୁଭବ କଲେ ବିଶେଷକରି ଜ୍ବର କିମ୍ବା ଥଣ୍ଡା, କାଶରି ପୀଡ଼ିତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଛୁଟିରେ ସଙ୍ଗରୋଧରେ ରହିବେ। ଅଫିସରେ ବୟସ୍କ ଓ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ବ୍ୟତୀତ କାହାରିକୁ ଲିଫ୍ଟ୍ ବ୍ୟବହାର କରିବାକୁ ଦିଆଯିବନି। ଲିଫ୍ଟ୍ରେ ଅନ୍ୟୁନ ୪ ଜଣରୁ ଅଧିକ ଯିବେନାହିଁ। ଲିଫ୍ଟ୍ ଭିତରେ କୌଣସି ବ୍ୟକ୍ତି ମୁହଁକୁ ମୁହଁ ନ ଅନାଇ ଲିଫ୍ଟ୍ କାନ୍ଥ ପଟକୁ ଅନାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଫିସର କମ୍ପ୍ୟୁଟର କି-ବୋର୍ଡ଼, ଦୁଆର ହ୍ୟାଣ୍ଡଲ, ଟେଲିଫୋନ୍ ଆଦି ବିଶୋଧକରେ ପୋଛାଯିବ। କୋଭିଡ-୧୯ ପ୍ରତିହତ ପାଇଁ ଅଫିସରେ ପୋଷ୍ଟର, ଷ୍ଟାଣ୍ଡି, ଟିଭି ଜରିଆରେ ସତର୍କବାର୍ତ୍ତା ସମସ୍ତେ ଯେପରି ସ୍ପଷ୍ଟ ଦେଖିପାରିବେ ସେ ନେଇ ବ୍ୟବସ୍ଥା କରାଯିବ। ଅଫିସରେ ଥିବା ଏୟାରକଣ୍ଡିସନର୍କୁ ୨୪ରୁ ୩୦ ଡିଗ୍ରି ସେଣ୍ଟିଗ୍ରେଡ୍ରେ ଚାଲୁ ରଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe