ପୁଣି କରୋନା ବଢାଇଲା ଚିନ୍ତା : କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଦୋକାନୀ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ; ସକାଳୁ ସକାଳୁ ଜିଲ୍ଲାପାଳ ଦେଖିଲେ ସ୍ଥିତି

314

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲାର ଧାର୍ମିକ ଅନୁଷ୍ଠାନ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନରେ କଡାକଡି ଭାବେ ଲାଗୁ ହେବ କୋଭିଡ୍ ନିୟମ । ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଏବଂ ସାନିଟାଇଜେସନକୁ ଗୁରୁତ୍ୱ ଦେବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ଗାଇଡଲାଇନ ଅନୁସାରେ ଆବଶ୍ୟକୀୟ କୋଭିଡ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ କୋଭିଡ୍ କଟକଣା ନମାନିଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପରିବହନ ସେବା କ୍ଷେତ୍ରରେ କୋଭିଡ୍ କଟକଣାକୁ କଡାକଡି ଭାବେ ପାଳନ କରାଯିବ । ସରକାରୀ ଓ ଘରୋଇ ଯାତ୍ରୀବାହୀ ଯାନ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇପାରିବେ ନାହିଁ । କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।