କନକ ବ୍ୟୁରୋ : ଆଉ ୨ ଦିନ ପରେ ଶେଷ ହୋଇଯିବ ଅଗଷ୍ଟ କଟକଣା । ତେଣୁ ସେପ୍ଟେମ୍ବରରେ କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । କଟକଣା ଆହୁରି କୋହଳ ହେବ, ନା ପାର୍ବଣକୁ ଦେଖି ସରକାର କଟକଣା ବଳବତର ରଖିବେ ତା ଉପରେ ନଜର ରହିଛି । ତେବେ ଏହାରି ଭିତରେ କରୋନାର ସଂକ୍ରମଣ କମୁଥିବା ଦେଖି ଅଗଷ୍ଟ ଗାଇଡଲାଇନରେ ଅନେକ କଟକଣା କୋହଳ କରିଥିଲେ ସରକାର । କିନ୍ତୁ ସାରାରାଜ୍ୟରେ ରାତି କର୍ଫ୍ୟୁ ବଳବତ୍ତର ରହିଥିଲା । ସେହିପରି କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ ଜାରି କରାଯାଇଥିଲା ।
ଏବେ କିନ୍ତୁ କରୋନା ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଗତ କିଛିଦିନ ହେଲା ଲଗାତର ୧ ହାଜର ତଳେ ରହିଛି ଦୈନିକ ସଂକ୍ରମଣ । ରାଜ୍ୟରେ ଟେଷ୍ଟ ପଜିଟିଭ ହାର ମଧ୍ୟ ୧ ପ୍ରତିଶତରେ ରହୁଛି । ସକ୍ରିୟ ସଂକ୍ରମଣ ଦୃଷ୍ଟିରୁ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି । କିନ୍ତୁ ଟିପିଆର ଦୃଷ୍ଟିରୁ ପୁରୀ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସବୁଜିଲ୍ଲା ମଧ୍ୟ ୨ ପ୍ରତିଶତ ତଳେ ରହୁଛି । ତେଣୁ ଅନୁମାନ କରାଯାଉଛି ସେପ୍ଟେମ୍ବର ଗାଇଡଲାଇନରେ ସରକାର ଅଗଷ୍ଟ କଟକଣାକୁ ଆହୁର କୋହଳ କରିପାରନ୍ତି । ଅର୍ଥାତ କଟକ, ଭୁବନେଶ୍ୱର ଓ ପୁରୀରେ ଶନିବାର ଓ ରବିବାର ସଟଡାଉନ କଟକଣାକୁ ହଟାଇ ଦିଆଯାଇପାରେ ।
ସେହିପରି ରାତି କର୍ଫ୍ୟୁକୁ କୋହଳ କରିବା ପାଇଁ ଚିନ୍ତା କରୁଛନ୍ତି ସରକାର । କିନ୍ତୁ ସଂପୂର୍ଣ୍ଣ ହଟାଯିବ ନାହିଁ ବୋଲି ଅନୁମାନ କରାଯାଉଛି । କାରଣ ଆଗକୁ ପାର୍ବଣ ଆସୁଛି । ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାତି କର୍ଫ୍ୟୁର ସମୟ ଅବଧି କମ କରିବାକୁ ଚିନ୍ତା କରିପାରନ୍ତି ସରକାର । ସେପଟେ ରାତିରେ ଯାତ୍ରା ପରିବେଶଣ ହେଉଥିବାରୁ ନାଇଟ କର୍ଫ୍ୟୁ କୋହଳ କରିବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି ଯାତ୍ରା କଳାକାର । ତେଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖିବା ସହ ଯାତ୍ରା କଳାକାରଙ୍କ ଦାବିକୁ ବିଚାରକୁ ନେଇ କୌଣସି ବିକଳ୍ପ ରାସ୍ତା ବାହାର କରିପାରନ୍ତି ସରକାର । ଅର୍ଥାତ ରାତି ୮ଟା ପରିବର୍ତେ ରାତି ୧୧ କିମ୍ବା ୧୨ଟା ପରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ବିଚାର କରାଯାଇପାରେ ।