ଭଲ ଖବର : ବିଶ୍ୱରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ତୁଳନାରେ ଭାରତରେ ସଂକ୍ରମଣ ଓ ମୃତ୍ୟୁହାର କମ ।

326

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ଏହା ସମଗ୍ର ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ୱରେ ହାରାହାରି ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ତାହା ମାତ୍ର ୨୦.୪ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି ।

ବ୍ରିଟେନରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ସର୍ବାଧିକ ୬୬୭ ଜଣ ମୃତ୍ୟୁବରଣ କରୁଥିବାବେଳେ ଆମେରିକାରେ ତାହା ୪୨୧ ଓ ବ୍ରାଜିଲରେ ୩୭୧ ରହିଛି । ଏଣୁ ମୃତ୍ୟୁହାର ଦୃଷ୍ଟିରୁ ଭାରତରେ ସ୍ଥିତି ଭଲ ରହିଛି ।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପିଜିଟିଭିଟି ହାର ଜାତୀୟ ହାର ୮.୦୭ ପ୍ରତିଶତଠାରୁ କମ ରହିଛି । ମାତ୍ର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ଜାତୀୟ ହାରଠାରୁ ଅଧିକ । ଦେଶରେ ଅଧିକରୁ ଅଧିକ ପରୀକ୍ଷା କରି ପଜିଟିଭିଟି ହାରକୁ ୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ପରୀକ୍ଷା ସଂଖ୍ୟା ବଢିବା କାରଣରୁ ସଂକ୍ରମଣ ମାମଲା ବଢିଚାଲିଛି । ଭାରତରେ ଏବେ ପ୍ରତି ନିୟୁତ ଲୋକଙ୍କ ପିଛା ୧୮୦ଟି ପରୀକ୍ଷା ହେଉଛି । ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତି ଏକ ନିୟୁତ ଲୋକଙ୍କ ପିଛା ୧୮୦ରୁ ଅଧିକ ପରୀକ୍ଷା କରୁଛନ୍ତି ।