‘ବିଶ୍ୱ ମହାମାରୀ’ରେ ବିଶ୍ୱ ହନ୍ତସନ୍ତ । କରୋନା ଭୂତାଣୁରେ ଆକ୍ରାନ୍ତ ହେଲେଣି ୧୩ ଲକ୍ଷରୁ ଅଧିକ, ୭୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା । 

558

କନକ ବ୍ୟୁରୋ: ସାରା ବିଶ୍ୱ ପାଇଁ ବଡ଼ ସଙ୍କଟ ଆଣିଛି କରୋନା ଭୂତାଣୁ । ଏପର୍ଯ୍ୟନ୍ତ ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ ୮୦ ହଜାର ଅତିକ୍ରମ କରିଛି । ଆଉ ଏହା ମଧ୍ୟରେ କରୋନା ଦ୍ୱାରା ବିଶ୍ୱରେ ୭୮ ହଜାର ୩୧୩ ଜଣଙ୍କ ଜୀବନ ଗଲାଣି । ତେବେ ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୭୦ ହଜାର ପାର ହୋଇସାରିଛି ।

ଆମେରିକାରେ କରୋନା ହଟସ୍ପଟ୍ ମଧ୍ୟରେ ରହିଛି ନ୍ୟୁୟର୍କ, ଡେଟ୍ରଏଟ୍ , ନ୍ୟୁଓରଲିନସ , କନେକ୍ଟିକଟ୍ ପ୍ରଭୃତି । ସବୁଠାରୁ ଜଟିଳ ସ୍ଥିତି ଦେଖାଦେଇଛି ନ୍ୟୁୟର୍କ ସହରରେ । ଏଠାରେ ଗତ ୨୪ ଘଂଟା ମଧ୍ୟରେ ୭୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ କେବଳ ନ୍ୟୁୟର୍କରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୨ ଶହ ଛୁଇଁଛି ।

ସେପଟେ ଆମେରିକା ପଛକୁ ରହିଛି ସ୍ପେନ୍ । ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୧୦ ଓ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୭୯୮ ରହିଛି । ଗତକାଲି ଗୋଟିଏ ଦିନରେ ସ୍ପେନରେ ୩ ହଜାର ୮୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇଟାଲିରେ ୧ ଲକ୍ଷ ୩୨ ହଜାର ୫୪୭ ଆକ୍ରାନ୍ତ ଓ ୧୬ ହଜାର ୫୨୩ ଜଣଙ୍କ ମୃତ୍ୟୁ ହେଲାଣି ।