ଓମିକ୍ରନକୁ ନେଇ ବଢୁଛି ଚିନ୍ତା । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି, ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ।

179

କନକ ବ୍ୟୁରୋ : ଭୟ ବଢ଼ାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ । ଏପରିକି କରୋନାର ତୃତୀୟ ଲହରର ଆଶଙ୍କାକୁ ବଢ଼ାଇ ଦେଇଛି କୋଭିଡର ଏହି ନୂଆ ପ୍ରଜାତି । ପରିସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଯାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକୁ ଚିଠି ଲେଖି ବିଦେଶ ଫେରନ୍ତାଙ୍କ ପାଇଁ ତୀକ୍ଷଣ ଦୃଷ୍ଟି ରଖିବାକୁ କହିଛନ୍ତି । ପ୍ରଭାବିତ ଦେଶରୁ ଫେରିଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବା ଓ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲେ ଜେନୋମ୍ ସିକ୍ୟୁଏନ୍ସିଂ କରିବାକୁ କୁହାଯାଇଛି ।

ସେହିପରି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କରୋନା ପରୀକ୍ଷା କରିବାକୁ କୁହାଯାଇଛି । ଯେଉଁଠି ସଂକ୍ରମଣ ବଢ଼ୁଛି, ସେଠାରେ କଂଟେନମେଂଟ ଜୋନ୍ ଘୋଷଣା କରିବାକୁ କୁହାଯାଇଛି । ହଟସ୍ପଟ୍ ଅଂଚଳ ଚିହ୍ନଟ କରିବା ସହ ଟେଷ୍ଟିଂ, ଟ୍ରେସିଂକୁ ବଢ଼ାଇକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନା ନିୟମକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସେହିପରି ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ଏହି ନିଷ୍ପତି ଉପରେ ସରକାର ପୁଣିଥରେ ବିଚାର କରିବେ ବୋଲି ଜଣାପଡିଛି । ଏପଟେ ରାଜ୍ୟ ସରକାର ମଧ୍ୟ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ଓମିକ୍ରନ’ ବଢ଼ାଇଲା ତୃତୀୟ ଲହର ଆଶଙ୍କା ! ସଜାଗ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶ । କରୋନା ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ । ଦ୍ୱିତୀୟ ଲହର ମାଡ଼ରୁ ମୁକୁଳି, ଧୀରେ ଧୀରେ ସ୍ୱାଭାବିକ ସ୍ଥିତି ଫେରି ଆସୁଥିବା ବେଳେ ତୃତୀୟ ଲହର ଆଶଙ୍କା ବଢ଼ାଇଛି କରୋନାର ନୂଆ ଭାରିଆଂଟ ଓମିକ୍ରନ୍ । ସାରା ବିଶ୍ୱ ଏ ନେଇ ଚିନ୍ତିତ ହୋଇ ପଡିଥିବା ବେଳେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ତୃତୀୟ ଲହରର ପ୍ରତିରୋଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିବାକୁ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

*ତୃତୀୟ ଲହର ପ୍ରତିହତ ପାଇଁ ସରକାରଙ୍କ ପ୍ରସ୍ତୁତି
*ସମ୍ଭାବ୍ୟ ତୃତୀୟ ଲହର ପ୍ରଭାବ ରୋକିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି
*ସମ୍ପୂର୍ଣ୍ଣ ସତର୍କ, ସଜାଗ, କ୍ରିୟାଶୀଳ ହେବାକୁ ପରାମର୍ଶ
*ଅଂଚଳର ସ୍ଥିତି ଅନୁଧ୍ୟାନ କରିବେ ବିଡିଓ, ସରପଞ୍ଚ, ୱାର୍ଡ ମେମ୍ବର, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ
*ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ
*ଘର ଘର ବୁଲି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ
*ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ
*ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
*ଜୋରିମାନା ଆଦାୟକୁ ବ୍ୟାପକ କରାଯିବ

କୋଭିଡ ମୃତକଙ୍କ ପରିବାରକୁ ସହାୟତା ରାଶି ଯୋଗାଇବା ପ୍ରକ୍ରିୟାକୁ ସରଳ କରିବା ପାଇଁ ବୈଠକରେ ନିଷ୍ୱତି ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ କମିସନର, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ।

‘ଓମିକ୍ରନକୁ ଭୟ କରନି’ । ଦ୍ୱିତୀୟ ଡୋଜ୍ ନିଶ୍ଚିତ ନିଅନ୍ତୁ କହିଲା ଆଇସିଏମଆର । କରୋନାର ନୂଆ ଭାରିଆଂଟ ଓମିକ୍ରନକୁ ନେଇ ଆତଙ୍କିତ ହେବା ନାହିଁ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଷ୍ଟ୍ରେନକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ । ଓମିକ୍ରାନ କେତେ ସଂକ୍ରାମକ ଓ ଘାତକ ସାବ୍ୟସ୍ତ ହେବ, ଅଧିକ ଜାଣିବା ପାଇଁ ଲାବ ରିପୋର୍ଟକୁ ଅପେକ୍ଷା କରାଯାଉଛି ବୋଲି କହିଛନ୍ତି ଆଇସିଏମଆରର ମହାମାରୀ ଓ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ସମୀରନ ପଣ୍ଡା ।

ଦକ୍ଷିଣ ଆଫ୍ରିକା ପରେ ୟୁରୋପ ଓ ଅନ୍ୟ ରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଇସିଏମଆର । ଦ୍ୱିତୀୟ ଡୋଜର ଦ୍ରୁତ ଟିକାକରଣ ଉପରେ ଜୋର ଦିଆଯାଇଛି । ଏପରି ହେଲେ ଦେଶର ସଂଖ୍ୟାଧିକ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ କରୋନା ମୁକାବିଲାରେ ବଡ ପଦକ୍ଷେପ ହେବ ବୋଲି କହିଛନ୍ତି ଡାକ୍ତର ସମୀରନ ପଣ୍ଡା ।