ଓମିକ୍ରନକୁ ନେଇ ବଢୁଛି ଚିନ୍ତା : ହଟସ୍ପଟ୍ ଅଂଚଳ ଚିହ୍ନଟ ସହ ଟେଷ୍ଟିଂ, ଟ୍ରେସିଂକୁ ବଢ଼ାଇକୁ ନିର୍ଦ୍ଦେଶ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କ କରାଇଲେ କେନ୍ଦ୍ର ସରକାର; ଏପଟେ ସମୀକ୍ଷା ପରେ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

102

କନକ ବ୍ୟୁରୋ : ଭୟ ବଢ଼ାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ । ଏପରିକି କରୋନାର ତୃତୀୟ ଲହରର ଆଶଙ୍କାକୁ ବଢ଼ାଇ ଦେଇଛି କୋଭିଡର ଏହି ନୂଆ ପ୍ରଜାତି । ପରିସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କ କରାଯାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକୁ ଚିଠି ଲେଖି ବିଦେଶ ଫେରନ୍ତାଙ୍କ ପାଇଁ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ କହିଛନ୍ତି । ପ୍ରଭାବିତ ଦେଶରୁ ଫେରିଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବା ଓ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲେ ଜେନୋମ୍ ସିକ୍ୟୁଏନ୍ସିଂ କରିବାକୁ କୁହାଯାଇଛି ।

ସେହିପରି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କରୋନା ପରୀକ୍ଷା କରିବାକୁ କୁହାଯାଇଛି । ଯେଉଁଠି ସଂକ୍ରମଣ ବଢ଼ୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ କୁହାଯାଇଛି । ହଟସ୍ପଟ୍ ଅଂଚଳ ଚିହ୍ନଟ କରିବା ସହ ଟେଷ୍ଟିଂ, ଟ୍ରେସିଂକୁ ବଢ଼ାଇକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନା ନିୟମକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସେହିପରି ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲେ । ତେବେ ଏହି ନିଷ୍ପତ୍ତି ଉପରେ ସରକାର ପୁଣିଥରେ ବିଚାର କରିବେ ବୋଲି ଜଣାପଡିଛି । ଏପଟେ ରାଜ୍ୟ ସରକାର ମଧ୍ୟ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଯେପରି ଅଣାୟତ୍ତ ନହେବ ସେଥିପାଇଁ କୋଭିଡ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ ଯେପରି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ, ସାନିଟାଇଜର୍‌ ବ୍ୟବହାର କରିବେ ତାହାକୁ କଡ଼ାକଡ଼ି ପାଳନ କରାଯିବ । ଯିଏ ନିୟମ ମାନିବେନି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ବେଳେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏବେ ସ୍କୁଲ, କଲେଜରେ ପାଠପଢ଼ା ଆରମ୍ଭ ହୋଇଛି । ସବୁ ଦୋକାନ ବଜାର ଖୋଲିଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି । ଜୀବିକା‌ ନିର୍ବାହ ସହ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି ।

ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ । ତୃଣମୂଳସ୍ତରରୁ ଯେପରି କୋଭିଡ ଆକ୍ରାନ୍ତଙ୍କୁ ସଙ୍ଗେସଙ୍ଗେ ଚିହ୍ନଟ କରାଯିବ, ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ। ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଞ୍ଚାୟତସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବିଷୟରେ ଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିଲେ ବା ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ । ଏହାସହ ଘରକୁ ଘର ବୁଲି କୋଭିଡ ଟିକାକରଣକୁ ଅଧିକ ତ୍ବରାନ୍ବିତ କରିବାକୁ କୁହାଯାଇଛି ।