ପୁଣି ଡରାଇଲା କରୋନା । ୫ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ପାର । ୨୪ ଘଂଟାରେ ଗଲା ୨୫୧ ଜଣଙ୍କ ଜୀବନ ।

104

କନକ ବ୍ୟୁରୋ: ଦେଶରେ କରୋନା ପୁଣି ଥରେ କାୟା ବିିସ୍ତାର କରିଛି । ଗତ ୨୪ ଘଂଟା ମଧ୍ୟରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ପ୍ରାୟ ୫ ମାସ ପରେ ଗୋଟିଏ ଦିନରେ ଦେଶରେ କରୋନା ମାମଲା ୫୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରା ଦେଶରୁ ୫୩ ହଜାର ୪୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚଳିତ ବର୍ଷରେ ସର୍ବାଧିକ । ଗତବର୍ଷ ୨୩ ଅକ୍ଟୋବରରେ ଦେଶରେ ୫୪ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା । ସେହିପରି ଗତ ୨୪ଘଂଟା ମଧ୍ୟରେ ୨୫୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ହୋଲି ପୂର୍ବର୍ରୁ ରେକର୍ଡ କରୋନା ମାମଲା ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଗତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶରେ କରୋନା ସର୍ବୋଚ୍ଚ ଗତିରେ ଥିବାବେଳେ ପ୍ରତିଦିନ ୫୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ଏବେ ପୁଣି ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମଣର ଦ୍ୱିତୀୟ ଲହର ନେଇ ଆଶଙ୍କା ବଢିଯାଇଛି ।

ଗତ ୨୪ ଘଂଟାରେ ୫୩ ହଜାର ୪୭୬ ନୂଆ ମାମଲା ସାମ୍ନାକୁ ଆସିବା ସହ ଦେଶରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୧୯୨ରେ ପହଂଚିଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୭ ଲକ୍ଷ ୮୭ହଜାର ୫୩୪ । ୧କୋଟି ୧୨ଲକ୍ଷ ୩୧ହଜାର ୬୫୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୂତାଣୁ ସଂକ୍ରମିତ ହୋଇ ୧ ଲକ୍ଷ ୬୦ ହଜାର ୬୯୨ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଡରାଉଛି ମହାରାଷ୍ଟ୍ର । ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରେ ୬୨ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ରାଜ୍ୟରେ ଗତ ୨୪ ଘଂଟାରେ ୩୧ ହଜାର ୮୫୫ମାମଲା ସାମ୍ନାକୁ ଆସିଥିବା ବେଳେ ୯୫ଜଣ ପ୍ରାଣ ହରାଇଛନ୍ତି । କେବଳ ମହାରାଷ୍ଟ୍ରରେ ୨ଲକ୍ଷ ୪୭ହଜାର ୨୯୯ଜଣ ସକ୍ରୀୟ ସଂକ୍ରମିତ ରହିଛନ୍ତି ।

ମୁମ୍ବାଇରେ ମଧ୍ୟ ଚଳିତ ବର୍ଷର ସବାର୍ଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୫ହଜାର ୧୮୫ଟି ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ଅପେକ୍ଷା ଏହା ୪୮ପ୍ରତିଶତ ଅଧିକ । ବଢୁଥିବା ସଂକ୍ରମଣକୁ ନଜରରେ ରଖି ମହାରାଷ୍ଟ୍ରର କିଛି ଜିଲ୍ଳାରେ ଲକଡାଉନ ଘୋଷଣା କରାଯାଇଛି । କେବଳ ମହାରାଷ୍ଟ୍ର ନୁହେଁ ଦିଲ୍ଳୀ, ପଂଜାବ, ଛତିଶଗଡ, ମଧ୍ରପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି ।