କନକ ବ୍ୟୁରୋ : ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ କମୁଥିବା ବେଳେ କେରଳରେ ସ୍ଥିତି ସଙ୍ଗୀନ ରହିଛି । କେରଳରେ ଦୈନିକ ସଂକ୍ରମଣ କିଛି ଦିନ ହେଲା ୫୦ ହଜାର ଉପରେ ଚିହ୍ନଟ ହେଉଛି । ଏହାକୁ ଆଖିରେ ରଖି କେରଳ ସରକାର ଆଜି ଲକଡାଉନ୍ ଭଳି କଟକଣା ଜାରି କରିଛନ୍ତି । ପୂର୍ବରୁ କେବଳ ଦୁଇ ରବିବାର ଲକଡାଉନ ଭଳି କଟକଣା ଲାଗୁନେଇ ଘୋଷଣା କରିଥିଲେ ରାଜ୍ୟ ସରକାର ।

Advertisment

ଆଜି ଲକଡାଉନ୍ ଭଳି କଟକଣା ଲାଗୁହେଉଥିବା ଦ୍ୱିତୀୟ ରବିବାର କିନ୍ତୁ ସଂକ୍ରମଣ ବଢୁଥିବାରୁ ଏହି ରବିବାରିଆ ଲକଡାଉନ ଅବଧି ବଢିବା ଆକଳନ କରାଯାଉଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଜି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବଜାର ଖୋଲା ରହିବ । ଦୁଗ୍ଧ, ଫଳ, ପନିପରିବା, ଔଷଧ ଦୋକାନ ଖୋଲିବାକୁ ଅନୁମତି ରହିଛି । ସେହିପରି ଜରୁରୀ କାଳୀନ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସରକାର । ତେବେ ଏଥିପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଅନୁମତି ପତ୍ର ସାଙ୍ଗରେ ନେଇ ଲୋକେ ଯାତ୍ରା କରିପାରିବେ । ଏହାଛଡା ଦୂର ସ୍ଥାନକୁ ଚଳାଚଳ କରୁଥିବା ପବ୍ଲିକ ଟ୍ରାନସପୋର୍ଟ ସେବା ଚାଲୁ ରହିବ ବୋଲି ସୂଚନା ମିଳିଛି ।