ଦେଶରେ ଡର ବଢାଉଛି କରୋନା ଭୂତାଣୁ । ୮ ରାଜ୍ୟର ୬୩ ଜିଲ୍ଲାରେ ବିଗୁଡୁଛି ସ୍ଥିତି ।

797

କନକ ବ୍ୟୁରୋ : ଦେଶରେ ଡର ବଢାଇଲାଣି କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୮ ହଜାର ୭୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆସାମର ଆକ୍ରାନ୍ତ ସଂଖ୍ୟା ଆସିନଥିବାରୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ତେବେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ସଂଖ୍ୟାକୁ ଦେଖିବାକୁ ଗଲେ, ଗତ ଜାନୁଆରୀ ୬ ତାରିଖ ପରେ ଦେଶରେ ଏପରି ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି । ଶେଷ ଥର ପାଇଁ ଗତ ଜାନୁଆରୀ ୬ ତାରିଖରେ ଦେଶରେ ସଂକ୍ରମଣ ୧୮ ହଜାର ୮୯୪ ରେକର୍ଡ ହୋଇଥିଲା ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଆକ୍ରାନ୍ତ ସଂଖ୍ୟା ପୁଣି ୧୮ ହଜାର ଅତିକ୍ରମ କରିଛି । ଏହି ସଂଖ୍ୟାକୁ ଦେଖିବାକୁ ଗଲେ ଗତ ସପ୍ତାହେ ଧରି ଦେଶରେ ଆକ୍ରାନ୍ତ ସଂଖ୍ୟା ୧୬ ହଜାରରୁ ଅଧିକ ରହି ଆସୁଛି । ସୂଚନା ଅନୁସାରେ ଦେଶରେ ୮ ରାଜ୍ୟରେ କରୋନା ସ୍ଥିତି ଏବେ ସଂକଟଜନକ ସ୍ଥିତି ଆଡକୁ ଗତି କରୁଛି । ହରିୟାଣା, ମହାରାଷ୍ଟ୍ର, ଓଡିଶା, ଆନ୍ଧ୍ରପ୍ରଦେଶ, ଗୋଆ, ହିମାଚଳପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀର ୬୩ଟି ଜିଲ୍ଲା ଏବେ ବେପରୁଆ ହୋଇଯାଉଥିବା ରିପୋର୍ଟ ଆସିଛି । ସାପ୍ତାହିକ ଆକ୍ରାନ୍ତ ସଂଖ୍ୟା ଏହିଠାରେ ବଢୁଥିଲେ ମଧ୍ୟ ଟ୍ରିପଲ୍ ଟି ଅର୍ଥାତ୍ ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟକୁ ଗୁରୁତ୍ୱ ଦିଆଯାଉନାହିଁ । ୩ଟି ରଣନୀତିରେ କାମ କରିବାକୁ ଏହି ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତ ।

ସେହିପରି ମହାରାଷ୍ଟ୍ର ଏବଂ ପଞ୍ଜାବରେ ଏବେ କରୋନା ସ୍ଥିତି ଜଟିଳ ଦିଗକୁ ମୁହାଁଉଛି । ଏହି ଦୁଇ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଟିମ୍ ଗସ୍ତ କରିଛନ୍ତି । ଦେଶରେ ୬୩ ଜିଲ୍ଲାରେ ଏବେ କୋଭିଡ ଟେଷ୍ଟିଂ କମ୍ ରହିଛି । ସେହି ଅନୁସାରେ କଂଟାକ୍ଟ ଟ୍ରେସିଂ ମଧ୍ୟ କମ୍ ରହୁଥିବାରୁ ଚିନ୍ତା ବ୍ୟକ୍ତ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପଞ୍ଜାବ ଓ ମହାରାଷ୍ଟ୍ରରେ ସଂକ୍ରମଣ କମ୍ କରିବାକୁ କେନ୍ଦ୍ର ସରକାରଙ୍କ ଟିମ୍ ପହଁଚି କାମ ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଏବେ ପଂଜାବରେ ୬ ହଜାର ୬୬୧ ଏବଂ ମହାରାଷ୍ଟ୍ରରେ ୯୦ ହଜାର ୫୫ ଜଣ ସକ୍ରିୟ ମାମଲା ରହିଛନ୍ତି । ଏହି ଦୁଇ ରାଜ୍ୟର ହଟସ୍ପଟ୍ ଅଂଚଳ ଗୁଡିକୁ ପ୍ରଥମେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଟିମ୍ ଗସ୍ତ କରିବା ଯୋଜନା ରହିଛି ।