କନକ ବ୍ୟୁରୋ: ଚିନ୍ତା ବଢ଼ାଇଲାଣି ରାଜଧାନୀର କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜଧାନୀରେ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୩ ଦିନ ଭିତରେ ୨୨ଜଣ ସଂକ୍ରମିତଙ୍କୁ ଠାବ କରାଗଲାଣି। ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ବରରେ ଚିହ୍ନଟ ହେବା ପରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସମସ୍ତ କରୋନା ଆକ୍ରାନ୍ତ ଭୁବନେଶ୍ବରରୁ ବାହାରୁଥିଲେ। ଏହାପରେ ଯାଜପୁର, ବାଲେଶ୍ବର, ଭଦ୍ରକରୁ ଆକ୍ରାନ୍ତ ଚିହ୍ନଟ ହେଲେ। ପ୍ରବାସୀ ଶ୍ରମିକ ଫେରିବା ପରେ ଗଞ୍ଜାମ ସମେତ ବାହାର ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହେଲେ। ରାଜଧାନୀରେ ଗୋଟିଏ/ଦୁଇଟି ଆକ୍ରାନ୍ତ ବାହାରୁଥିବା ବେଳେ ବାହାର ଜିଲ୍ଲାରେ ବହୁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ହଠାତ୍ ରାଜଧାନୀରେ ତିନି ଦିନରେ ୨୨ଆକ୍ରାନ୍ତ ବାହାରିବାରୁ ବିଏମ୍ସି ଚିନ୍ତା ବଢ଼ି ଯାଇଛି। ଗୁରୁବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୧୩, ଶନିବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତକାଲି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଜଣେ ସିଆଇଏସ୍ଏଫ୍ର ସବ୍-ଇନ୍ସପେକ୍ଟର ଓ ଜଣେ ସହକାରୀ ପ୍ରଫେସର୍ ରହିଛନ୍ତି। ଦୁହେଁ ଗୃହ ସଙ୍ଗରୋଧରେ ରହିଥିବା ସମୟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଜଣେ ସଂକ୍ରମିତଙ୍କ ମା’ ଉତ୍କଳ ବିଶ୍ବବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର୍ ଥିବାରୁ ବିଶ୍ବବିଦ୍ୟାଳୟକୁ ଆସିଥିବା କାରଣରୁ ୩ଟି ବିଭାଗକୁ ସିଲ୍ କରାଯାଇଛି। ଏଭଳି ସ୍ଥିତିରେ ରାଜଧାନୀରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ପ୍ରଶାସନର ନିଦ ହଜାଇ ଦେଇଛି।
ବିଏମ୍ସି ପକ୍ଷରୁ ଗତକାଲି ଜି ଟ୍ବିଟ୍ ଜରିଆରେ ୫ଜଣ ପଜିଟିଭ୍ଙ୍କ ସଂପର୍କରେ ସୂଚନା ଦିଆଯାଇଥିଲା। ସଂକ୍ରମିତଙ୍କ ମଧ୍ୟରେ ଘାଟିକିଆ ଓ ଡୁମୁଡୁମା ଅଞ୍ଚଳର ଦୁଇଜଣ ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରି ସଙ୍ଗରୋଧ ରହିଥିଲେ। ଏହାସହ ଗୁଜରାଟ ଫେରନ୍ତା ଜଣେ ବ୍ୟକ୍ତିଙ୍କୁ ପୁରୁଣା ଭୁବନେଶ୍ବରରୁ ଚିହ୍ନଟ କରାଯାଇଛି। ଅପରପକ୍ଷେ ପୋଖରୀପୁଟ ଅଞ୍ଚଳରେ ରହୁଥିବା ଜଣେ ସିଆଇଏସ୍ଏଫ୍ର ସବ୍-ଇନ୍ସପେକ୍ଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ପରିବାର କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଫେରିଥିଲେ। ସଂପୃକ୍ତ ସବ୍ ଇନ୍ସପେକ୍ଟର ଜଣକ ଗତ ୩ ତାରିଖରେ ଗଞ୍ଜାମ ଜିଲ୍ଲାରୁ ଫେରି ସଙ୍ଗରୋଧରେ ଥିଲେ। ସେହିଦିନ ତାଙ୍କର ସ୍ବାବ୍ ନମୁନା ସଂଗ୍ରହ ହୋଇଥିଲା। ଏବେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଗଜପତିନଗରରୁ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ପୂର୍ବରୁ ସେ ଅନଲାଇନ୍ କ୍ଲାସ୍ ନେଉଥିଲେ। ଗତ ୩ ତାରିଖରେ ସେ ଶିକ୍ଷାନୁଷ୍ଠାନରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସ୍ବାବ୍ ନମୁନାରେ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କର କୌଣସ ଯାତ୍ରା ଇତିହାସ ନଥିବା ଜଣାପଡ଼ିଛି। ତେଣୁ ସେ କିଭଳି ସଂକ୍ରମିତ ହେଲେ ତାହା ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି। କିଛି ଦିନ ହେବ ରାଜଧାନୀରେ ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୮୬ଜଣ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୧ଜଣ ସୁସ୍ଥ ହୋଇଛନ୍ତି। ୩୨ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪ଜଣ କରୋନାରେ ପ୍ରାଣ ହରାଇଛନ୍ତି।
ଦୁଇଦିନ ତଳେ ଆଇଗିଣିଆରୁ ଚିହ୍ନଟ ଜଣେ ଯୁବତୀଙ୍କ ମା’ ଉତ୍କଳ ବିଶ୍ବବିଦ୍ୟାଳୟର ଏକ ବିଭାଗରେ ଆସୋସିଏଟ୍ ପ୍ରଫେସର୍ ଅଛନ୍ତି। ଉଭୟ ଗୋଟିଏ ଆପାର୍ଟମେଣ୍ଟରେ ରୁହନ୍ତି। କରୋନା ସଂକ୍ରମିତ ହେବା ପରେ ସମ୍ପୃକ୍ତ ଆପାର୍ଟମେଣ୍ଟକୁ ସିଲ କରାଯାଇଛି। ଯୁବତୀଙ୍କ ମା’ ଗତ ୪ ତାରିଖରେ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। ଅନ୍ୟ ପ୍ରଫେସର୍ଙ୍କ ସହ ମିଶିଥିବା ସନ୍ଦେହ କରାଯାଉଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ବିଭାଗକୁ ସିଲ୍ କରାଯାଇଛି। ଏପରିକି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରଫେସର୍ଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସରଙ୍କ କହିବାନୁଯାୟୀ, ଜଣେ ମହିଳା ପ୍ରଫେସରଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟର ଇଂରାଜୀ, ଅର୍ଥନୀତି ଓ ଦର୍ଶନ ଶାସ୍ତ୍ର ବିଭାଗକୁ ସିଲ୍ କରାଯାଇଛି। ଉକ୍ତ ବିଭାଗଗୁଡ଼ିକୁ ବିଶୋଧନ କରାଯିବା ପରେ ଖୋଲାଯିବ। ୧୪ଦିନ ପରେ ନେଗେଟିଭ୍ ଥିବା ସାର୍ଟିଫିକେଟ୍ ଆଣିବା ପରେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ସେ କହିଛନ୍ତି।