କରୋନାର ଆଁରେ ଗାଁ : ଓଡ଼ିଶାର ଗ୍ରାମାଂଚଳରେ ବଢ଼ୁଛି ଅଧିକ ସଂକ୍ରମଣ

153

କନକ ବ୍ୟୁରୋ : କରୋନା ନଜରରେ ଗାଁ । ଓଡ଼ିଶାର ଗ୍ରାମାଂଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୁନ୍ଦରଗଡ, ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଂଜାମ ଭଳି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ସହରାଞ୍ଚଳ ଠାରୁ ଢେର ଅଧିକ ରହୁଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଆକ୍ରାନ୍ତ ଗ୍ରାମାଂଚଳରୁ ରହିଛନ୍ତି ।

ସେହିଭଳି ନବରଙ୍ଗପୁରରେ ଗତ ୨୪ ଘଂଟାରେ ମୋଟ ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୬ ଜଣ ଆକ୍ରାନ୍ତ ଗ୍ରାମାଂଚଳର । ଛତିଶଗଡ ସୀମାନ୍ତବର୍ତୀ ଗାଁରେ ଅଧିକ ସଂକ୍ରମଣ ରହିଛି । କୋରାପୁଟ ଜିଲ୍ଲାରେ ମଧ୍ୟ ଗ୍ରାମାଂଚଳର ସ୍ଥିତି ସଂଗୀନ ରହିଛି । ଅଧାରୁ ଅଧିକ ଆକ୍ରାନ୍ତ ଗାଁ ଗଣ୍ଡାରୁ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧାକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୨୮୯ ଥିବା ବେଳେ ଗ୍ରାମାଂଚଳରୁ ୧୫୭ ଓ ସହରାଂଚଳରୁ ୧୩୨ଟି ମାମଲା ସାମ୍ନାକୁ ଆସିଛି । ସେହିଭଳି ରାୟଗଡା ଜିଲ୍ଲାର ଆଦିବାସୀ ଗାଁରେ କରୋନା ଆତଙ୍କ ଖେଳାଇଛି ।

ଜିଲ୍ଲା ଲୋକ ସଂପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ୨୪ ଘଂଟାରେ ୧୩୬ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗାଁରୁ ୯୧ଟି ରହିଛି । ସେପଟେ ଗଂଜାମ ଜିଲ୍ଲାରେ ବି ଗ୍ରାମାଂଚଳର କରୋନା ଗ୍ରାଫ ଉପରେ ରହିଛି । ଦୈନିକ ସଂକ୍ରମଣରେ ସହରାଞ୍ଚଳ ସଂଖ୍ୟା ୧୦୩ ଥିବା ବେଳେ ଗାଁରୁ ଚିହ୍ନଟ ହୋଇଛନ୍ତି ୧୫୪ ଜଣ ଆକ୍ରାନ୍ତ । ଗ୍ରାମାଂଚଳରେ ଉପୁଜିଥିବା ସ୍ଥିତିକୁ ଦେଖି ଟ୍ରାକିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ସରକାର ଜୋର ଦେଇଛନ୍ତି । ଗ୍ରାମଂଚଳରେ ଲୋକଙ୍କୁ ସଚେତନ କରାଯିବ ସହ ସାନିଟାଇଜେସନ୍ କରାଯାଉଛି ।