ଗ୍ଲୋବାଲ ଟୁରରେ ବାଧକ ହେବ କୋଭାକ୍ସିନ୍ ଟିକା । ଡବ୍ଲୁଏଚଓ ଦେଇନାହିଁ ଅନୁମତି । ଟିକା ନେଇଥିବା ପର୍ଯ୍ୟଟକଙ୍କୁ ଗ୍ରହଣ କରିବେନି ବିଦେଶୀ ରାଷ୍ଟ୍ର

438

କନକ ବ୍ୟୁରୋ: ଆପଣ କରୋନା ଟିକା ନେଇଛନ୍ତି କି? କୋଭାକ୍ସିନ୍ ନା କୋଭିସିଲ୍ଡ । ଯଦି ଆପଣ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ୍ କୋଭାକ୍ସିନ୍ ନେଇଛନ୍ତି, ତେବେ ଆପଣଙ୍କ ବିଦେଶ ଗ୍ରସ୍ତ ଉପରେ ଲାଗିପାରେ ରୋକ୍ । କାରଣ, କରୋନାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ କିଛି ଦେଶ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏଭଳି ଏକ ନିଷ୍ପତି ନେଇଛନ୍ତିି, ଯେଉଁଥିରେ କୋଭକସିନ୍ ଟିକା ନେଇଥିବା ଲୋକ ବିଦେଶ ଯିବା ସଂଭବ ହେବ ନାହିଁ ।

ସାରା ବିଶ୍ୱରେ ଜୋରଦାର ହୋଇଛି ଟିକାକରଣ । କିଛି ଦେଶରେ କରୋନା ପ୍ରକୋପ ବି କମିଛି । ଠିକ୍ ଏମିତି ବେଳେ କିଛି ଦେଶ, ବିଦେଶୀ ପର୍ଯ୍ୟଟଙ୍କ ପାଇଁ ନିଜ ଦେଶ ଭ୍ରମଣ ପାଇଁ ସୁଯୋଗ ଦେବା ପାଇଁ ଆଗେଇ ଆସିଛନ୍ତି । ତେବେ ଏଥିପାଇଁ ପର୍ଯ୍ୟଟକଙ୍କୁ ଟିକାର ୨ଟି ଡୋଜ୍ ନେଇଥିବା ଆବଶ୍ୟକ । ଆଉ ସେହି ଟିକା ନେଇଥିବା ଜରୁୁରୀ ଯାହା, ତାଙ୍କ ଦେଶରେ ଅନୁମତି ପାଇଥିବା କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମଞ୍ଜୁରୀ ପାଇଥିବ ।

କୋଭିସିଲ୍ଡ
ମଡନା
ଆଷ୍ଟ୍ରେଜେନିକା
ଫାଇଜର
ଜନସନ୍
ସିନୋଫାର୍ମ

ଏହି ସବୁ ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ ଏହି ତାଲିକାରେ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକା ନାହିଁ । ଅର୍ଥାତ୍ ଯେଉଁମାନେ କୋଭାକ୍ସିନ୍ ଟିକା ନେଇଛନ୍ତି ସେମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଭ୍ରମଣ ପାଇଁ ଦେଉଥିବା ଅନୁମତିର ସୁଯୋଗ ନେଇପାରିବେ ନାହିଁ । ଓଡ଼ିଶାରେ ବିଶେଷ କରି ଭୁବନେଶ୍ୱରରେ ଏହି କୋଭାକ୍ସିନ୍ ଟିକା ଦିଆଯାଇଛି ।

ଭାରତରେ ବର୍ତମାନ ସୁଦ୍ଧା ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ବିଶେଷ କରି କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାରେ ହିଁ ଭାରତରେ ଟିକାକରଣ ଚାଲିଛି । ଅବଶ୍ୟକ ସରକାରୀ ଅଭିଯାନରେ ସ୍ପୁଟିକ୍୍ଭି ସାମିଲ ହୋଇଛି ସତ, କିନ୍ତୁ ଏହାର ସଂଖ୍ୟା ଖୁବ୍ କମ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବଶେଷ ତଥ୍ୟ ଅନୁସାରେ
– ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ତାଲିକାରେ ସାମିଲ ହେବାକୁ ଭାରତ ବାୟୋଟେକ୍ ଆଗ୍ରହ ପ୍ରକାଶ କରିଛି
– ତଥ୍ୟ ଦାଖଲ ସମ୍ପର୍କିତ ବୈଠକ ମେ’ ଶେଷ କିମ୍ବା ଜୁନ୍ରେ ହେବ
– ଏହି ବୈଠକରେ ଭାରତ ବାୟୋଟେକ୍ କୋଭାକ୍ସିନ୍୍ ଟିକାକୁ ମଞ୍ଜୁରୀ ଦେବା ପାଇଁ ଅନୁରୋଧ କରିବ
– ଏହି ବୈଠକରେ ଟିକାକୁ ନେଇ ସମୀକ୍ଷା ହେବ ଏବଂ ଅନୁମିତ ଦେଇ ନିଷ୍ପତି ନିଆଯିବ

ଆଉ ସେତେ ଦିନ ଯାଏଁ କୋଭାକ୍ସିନ୍ ଟିକା ନେଇଥିବା ଭାରତୀୟମାନଙ୍କୁ ବିଦେଶ ଯାତ୍ରା ପାଇଁ ଆହୁରୀ ଅପେକ୍ଷା କରିବାକୁ ପଡ଼ିବ ।