ଦେଶରେ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା : ୨ରୁ ୧୮ ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ସୂଚନା

ସବଜେକ୍ଟ ଏକ୍ସପର୍ଟ କମିଟିର ଅନୁମତି ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

212

କନକ ବ୍ୟୁରୋ : ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । କାନାଡାରେ ୧୨ରୁ ୧୮ ବର୍ଷ ବୟସ୍କ ଏବଂ ଆମେରିକାରେ ୧୨ରୁ ୧୫ ବର୍ଷ ବୟସ୍କଙ୍କ ପାଇଁ କରୋନା ଟିକାକରଣକୁ ଅନୁମତି ପ୍ରଦାନ କରାଯାଇଛି । ଏପଟେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପିଲାଙ୍କୁ ସଂକ୍ରମିତ କରୁଥିବା ଖବର ଆସୁଛି ।

ପୁଣି ତୃତୀୟ ଲହର ବେଳକୁ ଏହା ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ଦେଶରେ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଜରୁରୀ ହୋଇପଡିଛି । ଏତିକିବେଳେ ଦେଶୀ ଟିକା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଟିକାକରଣ ସଂପର୍କିତ ସବଜେକ୍ଟ ଏକ୍ସପର୍ଟ କମିଟି ଏଥିଲାଗି ମଙ୍ଗଳବାର ଅନୁମତି ଦେଇଥିବା ଖବର ପ୍ରକାଶ କରିଛି ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ।

ତେବେ ପୂର୍ବରୁ ଏହି କମିଟି କୋଭାକ୍ସିନ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକକୁ ଅଧିକ ତଥ୍ୟ ଦାଖଲ ପାଇଁ କହିଥିଲା । ଗତ ଫେବ୍ରୁଆରୀ ୨୪ ତାରିଖରେ ଏସଇସି ବୈଠକରେ ଭାରତ ବାୟୋଟେକକୁ ବିସ୍ତୃତ ପ୍ରଟୋକଲ ଦାଖଲ କରିବାକୁ କୁହାଯାଇଥିବାବେଳେ, ଏବେ ଶିଶୁ ଓ କିଶୋରଙ୍କ ଉପରେ ଟିକାର ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଥିବା ଜଣାପଡିଛି ।