କରୋନା ଭୂତାଣୁର ଯେକୌଣସି ପ୍ରକାରକୁ ପ୍ରଭାବହୀନ କରିପାରିବ କୋଭାକ୍ସିନ୍ : ଘୋଷଣା କଲା ଦେଶର ସବୋର୍ଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର

ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଭାରିୟାଂଟ ବିରୋଧରେ କାମ ଦେବ ଦେଶୀ ଟିକା କୋଭାକ୍ସିନ୍

958

କନକ ବ୍ୟୁରୋ :ଦେଶୀ ଟିକାର କମାଲ ମଧ୍ୟ ସାମ୍ନାକୁ ଆସିଛି । ଦେଶର ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା ଆଇସିଏମଆର ଦାବି କରିଛି ଯେ, ଦେଶୀ ଟିକା କୋଭାକ୍ସିନ, କରୋନାର ସବୁ ପ୍ରକାର ଭାରିଆଂଟ ବିରୋଧରେ ପ୍ରଭାବୀ । ଅର୍ଥାତ କରୋନାର ଯେକୌଣସି ପ୍ରକାର ବିରୋଧରେ ଏହା କାମ ଦେଉଛି । ୟୁକେ ଭାରିଆଂଟ ଓ ବ୍ରାଜିଲ ଭାରିଆଂଟ ସମେତ ଦେଶରେ ଦେଖାଦେଇଥିବା ଡବଲ ମ୍ୟୁଟାଂଟ ବିରୋଧରେ ଏହା ପ୍ରଭାବୀ ବୋଲି ଦାବି କରିଛି ଆଇସିଏମଆର । ନିକଟରେ ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏହି ତଥ୍ୟ ଜଣାପଡିଛି ।

ସୂଚନାଯୋଗ୍ୟ, ମେ ୧ ତାରିଖରୁ ଖୋଲା ବଜାରରେ ବିକ୍ରୟ ନିମନ୍ତେ ସରକାର ଅନୁମତି ଦେଇଥିଲେ ସୁଦ୍ଧା ଔଷଧ ଦୋକାନ କିଂବା ଫାର୍ମାସିରେ ବିକ୍ରୟ ନିମନ୍ତେ କୋଭିଡ୍‌ ଟିକା ମିଳିବ ନାହିଁ । କେବଳ ଡାକ୍ତରଖାନା ଏବଂ ଅନୁମୋଦନପ୍ରାପ୍ତ ଟିକାକରଣ କେନ୍ଦ୍ରମାନଙ୍କରେ ଏହି ଟିକା ଦିଆଯିବ । ଜଣେ ସରକାରୀ ଅଧିକାରୀ କହିଛନ୍ତି, ‘ଏମର୍ଜେନ୍‌ସି ଲାଇସେନ୍‌ସର୍‌’ ନିୟମ ଅନୁସାରେ ମିଳୁଥିବା କାରଣରୁ କୋଭିଡ୍‌ ଟିକା ଔଷଧ ଦୋକାନରେ ବିକ୍ରିୟ କରାଯାଇ ପାରିବ ନାହିଁ । ଏହି ଟିକାକୁ ଉପଯୁକ୍ତ ପ୍ରତିଷ୍ଠାନରେ ଦିଆଯିବା ଏବଂ ଟିକାକରଣ ସମୟରେ ମାର୍ଗଦର୍ଶିକା ପାଳନ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା । ଏହା ବ୍ୟତିରକେ, କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ଚିହ୍ନଟ ଓ ଅନୁଶୀଳନ କରିବା ନିମନ୍ତେ ଓ୍ଵାର୍କପ୍ଲେସ୍‌ ସମେତ ଏହି ସବୁ ଟିକାକରଣ କେନ୍ଦ୍ରଗୁଡ଼ିକୁ ‘ଏଇଏଫ୍‌ଆଇ’ ପରିଚାଳନା କେନ୍ଦ୍ର ସହ ସଂଯୁକ୍ତ କରାଯାଇଛି ।