ବିବାଦ ଭିତରେ ଭଲ ଖବର: ସ୍ୱଦେଶୀ ଟିକା ‘କୋଭାକ୍ସିନ’ ସଫଳତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର; ପ୍ରସିଦ୍ଧ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଲା ତଥ୍ୟ

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ଟିକା ସମସ୍ତ ବର୍ଗ ପାଇଁ ସୁରକ୍ଷିତ

120

କନକ ବ୍ୟୁରୋ: ସ୍ୱଦେଶୀ ଟିକା କୋଭାକ୍ସିନ ଦକ୍ଷତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର । ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଶୁକ୍ରବାର ପ୍ରକାଶ ପାଇଛି ତଥ୍ୟ । ଏଥିରେ କୁହାଯାଇଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି କୋଭାକ୍ସିନ ଟିକା ବେଶ୍ ପ୍ରଭାବୀ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ଏହି ଟିକାର ସେଭଳି କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ ।

ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଦେଖାଯାଇଥିବା ସମସ୍ତ ପାର୍ଶ୍ବପ୍ରତିକ୍ରିୟା ସାମାନ୍ୟ ତଥା ମଧ୍ୟମ ଧରଣର ଥିଲା । ଅଧିକାଂଶ କ୍ଷେତ୍ରରେ ଟିକା ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧିବା କିମ୍ବା ଜ୍ୱର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ୩୭୫ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କ ଦେହରେ ପାର୍ଶ୍ବପ୍ରତିକ୍ରିୟା ଦେଖା ଦେଇଥିଲା । ଟିକା ଦିଆଯାଇଥିବା ଓ ଅନ୍ୟ ଗ୍ରୁପଙ୍କ ଭିତରେ ବିଶେଷ କିଛି ଫରକ ଦେଖିବାକୁ ମିଳିନଥିଲା ।

ଲାନସେଟରେ କୋଭାକ୍ସିନର ସଫଳତା ନେଇ ତଥ୍ୟ ପ୍ରକାଶ ପାଇବା ପରେ ଟିକା ନିର୍ମାତା କମ୍ପାନୀ ପକ୍ଷରୁ କୁହାଯାଇଛି, କୋଭାକ୍ସିନ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଟିକା । ଯାହାର ତଥ୍ୟ ଲାନସେଟରେ ପ୍ରକାଶ ପାଇଛି । ଭାରତୀୟ ଉଦ୍ଭାବନକୁ ଆନ୍ତର୍ଜାତୀୟ ମାନ୍ୟତା ମିଳିଛି । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଥିବାବେଳେ ଏହାକୁ ସମୂହ ଟିକାକରଣ ଅଭିଯାନରେ ସାମିଲ କରାଯିବାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଅନେକ ଲୋକ ।