ଭାରତ ବାୟୋଟିକର କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି । ଏଣିକି ସାରା ବିଶ୍ୱରେ ଦିଆଯିବ ଭାରତର ଦେଶୀ ଟିକା

77

କନକ ବ୍ୟୁରୋ: ଶେଷରେ ମେଡ-ଇନ-ଇଣ୍ଡିଆ କରୋନା ଟିକା କୋଭାକ୍ସିନକୁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୀର୍ଘ ସମୟର ପ୍ରତୀକ୍ଷା ପରେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଆଇସିଏମଆର ଓ ଭାରତ ବାୟୋଟେକର ବିଶେଷଜ୍ଞମାନଙ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଣିକି ବିଶ୍ୱର ଯେକୌଣସି ସ୍ଥାନରେ ୧୮ବର୍ଷକୁ ଉର୍ଦ୍ଧ ବୟସ୍କକୁ ଏହି ଟିକା ଦିଆଯାଇପାରିବ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ।

ବୈଷୟିକ ପରାମର୍ଶଦାତା କମିଟି କହିଛି, ଏହି ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ଏହା କୋଭିଡ ମୁକାବିଲା କରିବାରେ ସକ୍ଷମ । ତେବେ ଗର୍ଭବତୀ ମହିଳାଙ୍କୁ ଏହି ଟିକା ଦିଆଯିବା ଉପରେ ନିଷ୍ପତ୍ତି ହୋଇପାରିନାହିଁ । ତା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଟିକାର ସୁରକ୍ଷା ଓ ପ୍ରଭାବକୁ ନେଇ ଯଥେଷ୍ଟ ତଥ୍ୟ ମିଳିନାହିଁ ପୂର୍ବରୁ କୋଭିସିିଲ୍ଡ, ମଡର୍ଣ୍ଣା ଆଦି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଥିଲା ।

ଭାରତର ଏହି ସ୍ୱଦେଶୀ ଟିକାକୁ ଅନୁମତି ନମିଳିବାକୁ ନେଇ ଲାଗି ରହିଥିଲା ବିବାଦ । କେତେବେଳେ ଅଧିକ ତଥ୍ୟ ମାଗିବା ତ ପୁଣି କେତେବେଳେ ତଥ୍ୟ ଯଥେଷ୍ଟ ନଥିବା ଦର୍ଶାଇ କୋଭାକ୍ସିନକୁ ଅନୁମତି ଦେବାରେ ଟାଳଟୁଳ ନୀତି ଜାରି ରଖିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଏବେ ଏହି ପ୍ରସଙ୍ଗରେ ଫୁଲଷ୍ଟପ ପଡିଛି । ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମିଳିତ ଉଦ୍ୟମରେ ତିଆରି ହୋଇଥିବା ଟୀକା କୋଭାକ୍ସିନକୁ ଅନୁମତି ମିଳିଛି । କୋଭାକ୍ସିନକୁ ଜରୁରୀକାଳୀନ ଟିକା ଭାବରେ ଅନୁମତି ଦେବାର ଅର୍ଥ ଏଣିକି ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନେ ବିଦେଶକୁ ବିନା ଦ୍ୱିଧାରେ ଯାଇପାରିବେ । ପୂର୍ବରୁ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କୁ ସମସ୍ତ ଦେଶ ଅନୁମତି ଦେଇନଥିଲେ ।

ଦେଶରେ ଜୋରଦାର ଟିକାକରଣ ପାଇଁ କରୋନା ଏବେ ଦୁର୍ବଳ ହୋଇଛି । ହେଲେ ବିପଦ ଏବେ ବି ଟଳିନି । ତେଣୁ ଘରକୁ ଘର ବୁଲି ଟିକା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁ ଜିଲ୍ଲାରେ ଟିକାକରଣ କମ୍ ରହିଛି ସେହି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି ଟିକାକରଣ ଶତ ପ୍ରତିଶତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଚୀନ, ଋଷ ଆଦି ଦେଶରେ ଟିକାକରଣ ଦୁର୍ବଳ ରହିଥିବାରୁ କରୋନା ପୁଣିଥରେ ବ୍ୟାପିଛି । ତେଣୁ ଏହାକୁ ନଜରରେ ରଖି କରୋନା ସଂକ୍ରମଣ ଦୁର୍ବଳ ହୋଇଥିଲେ ମଧ୍ୟ ସମୂଳେ ନାଶ ପାଇଁ ଟିକାକରଣକୁ ଶତ ପ୍ରତିଶତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା