କନକ ବ୍ୟୁରୋ: କର୍ଣ୍ଣାଟକ ଉଡୁପିରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ଥମିବାର ନାଁ ନେଉନି । ଏହି ବିବାଦର ସମାଧାନ ପାଇଁ ଏବେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଚାଲିଥିବାବେଳେ ଅନ୍ତରୀଣ ନିର୍ଦ୍ଦେଶ ବିନା କୋର୍ଟ ଚୂଡାନ୍ତ ରାୟ ପ୍ରକାଶ କରିନାହାଁନ୍ତି । ଆସନ୍ତାକାଲି ମଧ୍ୟ ଏନେଇ ଶୁଣାଣି ହେବ ବୋଲି ଜଣାପଡିଛି । ତେବେ ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ସରକାର ଆହୁରି କଠୋର ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ଅନୁମତି ଦିଆଯିବ ନାହିଁ ବୋଲି ସଂଖ୍ୟାଲଘୁ କଲ୍ୟାଣ ବ୍ୟାପାର ବିଭାଗୀୟ ସଚିବ ମେଜର ପି. ମନିଭାନନ ଗୁରୁବାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଅନ୍ତରୀଣ ନିର୍ଦ୍ଦେର୍ଶ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ହିଜାବକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କେବଳ ସରକାରୀ କଲେଜ କିମ୍ବା ସ୍କୁଲ ନୁହେଁ, ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନ ଏବଂ ମୌଲାନା ମଡେଲ ଇଂରାଜୀ ମାଧ୍ୟମ ସ୍କୁଲଗୁଡିକରେ ବି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବାଲି ସେ କହିଛନ୍ତି ।
ଆନ୍ଧ୍ରପ୍ରଦେଶରେ ମଧ୍ୟ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏଠିକାର ଆନ୍ଧ୍ର ଲୟଲା କଲେଜରେ ଗୁରୁବାର କିଛି ଛାତ୍ରୀ ହିଜାବ ପରିଧାନ କରି କଲେଜ ଆସିଥିବା ବେଳେ ସେମାନଙ୍କୁ କର୍ତ୍ତୃପକ୍ଷ ଶ୍ରେଣୀ ଗୃହକୁ ପ୍ରବେଶ କରିବାକୁ ମନା କରିଦେଇଥିଲେ । ଏହାପରେ ଛାତ୍ରୀମାନେ ଅଭିଭାବକମାନେ କଲେଜରେ ପହଞ୍ଚି ତୁମ୍ବିତୋଫାନ କରିଥିଲେ । ପରେ ପରେ କଲେଜ ପରିଚାଳନା କମିଟି ସହ ସେମାନଙ୍କ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
Follow Us