ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ

117

କନକ ବ୍ୟୁରୋ : ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ ଗତ ଶନିବାର ଦିନ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଗିରଫ୍ କରିଥିଲା  । ଏହା ସହ ଦିଲ୍ଲୀର ଏକ ଅଦାଲତ ରବିବାର ଦିନ ଦିଶାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଥିଲେ । ଏହି ମାମଲାର ଯାଂଚ ଏବେ ଦିଲ୍ଲୀ ପୋଲିସ କରୁଛି । ମଙ୍ଗଳବାର ଦିନ ପଟିଆଲା ହାଉସ୍ କୋର୍ଟ ଏହି ମାମଲାର ପ୍ରାଥମିକ ଶୁଣାଣି କରି ରବିଙ୍କ ପରିବାରକୁ ମାମଲାର କପି, ଜାମିନ୍ ପାଇଁ ଆବେଦନ ଓ ଗରମ କପଡା ଆଦି ଦେବାକୁ ଅନୁମତି ଦେଇଛନ୍ତି । ଏହାସହ ପୋଲିସ ହେପାଜତରେ ଥିବା ବେଳେ ଓକିଲ ଓ ପରିବାର ଲୋକଙ୍କୁ ଦିଶା ରବି ଭେଟିପାରିବେ ବୋଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏନେଇ କୋର୍ଟରେ ଆବେଦନ କରିଥିଲେ ଦିଶା ରବିଙ୍କ ଓକିଲ ଅଭିନବ ଶେଖରୀ ।

ମିଳିଥିବା ସୂଚନା ମୁତାବକ ଦିଶା ରବି ପ୍ରତିଦିନ ୧୫ ମିନିଟ୍ ପାଇଁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବେ ଓ ୩୦ ମିନିଟ୍ ପର୍ଯ୍ୟନ୍ତ ଓକିଲ ସହିତ କଥା ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ଦିଲ୍ଲୀ ପୋଲିସ ଆୟୁକ୍ତ ଏସ୍.ଏନ୍ ଶ୍ରୀବାସ୍ତବ ମଙ୍ଗଳବାର ଦିନ କହିଛନ୍ତି କି ଦିଶା ରବିଙ୍କ ଗିରଫଦାରୀ ଆଇନ ଅନୁଯାୟୀ କରାଯାଇଛି । ଆଇନ ୨୨ କିମ୍ବା ୫୦ ବର୍ଷ ମଧ୍ୟରେ କୌଣସି ଭେଦ ଭାବ କରେ ନାହିଁ ।

କହିରଖୁ କି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକ ମାନଙ୍କ ସହିତ ଜଡିତ ଟୁଲକିଟ୍ ବ୍ୟବହାର କରିବା ଅଭିଯୋଗରେ ଦିଶା ରବିଙ୍କୁ ଗତ ଶନିବାର ଦିନ ବେଙ୍ଗାଲୁରରୁ ଗିରଫ୍ କରିଥିଲା ଦିଲ୍ଲୀ ପୋଲିସ । ପୋଲିସ ଦାବି କରିଥିଲା କି ଦିଶା ରବି ଟେଲିଗ୍ରାମ ଆପ୍ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ଏହି ଟୁଲକିଟ୍ ପ୍ରଦାନ କରିଥିଲେ ।

ସୋମବାର ଦିନ ଦିଲ୍ଲୀ ପୋଲିସ ଅଭିଯୋଗ କରିଥିଲା କି ଦିଶା ରବି, ମୁମ୍ବାଇର ଓକିଲ ନିକିତା ଜାକବ୍ ଓ ପୁଣେର ଇଂଜିନିୟର ଶାନ୍ତୁନ ମିଶିକରି ଟୁଲକିଟ୍ ପ୍ରସ୍ତୁତ କରିଥିଲେ । ଏହାପରେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରି ଭାରତର ଛବି ମଳିନ କରିବାକୁ ଚେଷ୍ଟା କରୁଥିଲେ । ଏହାସହ ପୋଲିସ ଦାବି କରିଛି କି ଦିଶା ରବି ନିଜର ଟେଲିଗ୍ରାମ ଏକାଉଣ୍ଟରୁ ଡାଟା ଡିଲିଟ୍ କରିଦେଇଛନ୍ତି । ଏହି ମାମଲାରେ କୋର୍ଟ ନିକିତା ଓ ଶାନ୍ତୁନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।