କନକ ବ୍ୟୁରୋ: ୧୦ବର୍ଷ ପରେ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିପାରିଛି କଂଗ୍ରେସ । ଆଉ ବାପା, ମାଆଙ୍କ ପରେ ଗାନ୍ଧୀ ପରିବାରର ତୃତୀୟ ଦାୟଦ ଭାବେ ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି ରାହୁଲ ଗାନ୍ଧୀ । ପୂର୍ବାପେକ୍ଷା ବିରୋଧୀ ଅଧିକ ସଂଖ୍ୟାରେ ଆସିଥିବାରୁ ଏଥର ସଶକ୍ତ ହୋଇଛନ୍ତି । ଆଗକୁ ଲୋକସଭାରେ ଶାସକ ଦଳ ସହ ଲଢ଼େଇ ଜୋରଦାର ହୋଇପାରେ । ଆଉ ତା ପୂର୍ବରୁ ମୋଦୀଙ୍କ ସହ ହାତ ମିଳାଇ ସୌଜନ୍ୟତାର ସଙ୍କେତ ଦେଇଛନ୍ତି ରାୟବରେଲୀ ସାଂସଦ ।

Advertisment

ଗଣତନ୍ତ୍ରର ସୌନ୍ଦର୍ଯ୍ୟ କୁହନ୍ତୁ ବା ସୌହାର୍ଦ୍ଦ୍ୟର ପ୍ରତିକ । ଲୋକସଭାର ନବ ନିର୍ବାଚିତ ବାଚସ୍ପତିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଥିଲେ ରାହୁଲ ଗାନ୍ଧୀ । ମନେ ହେଉଥିଲା ସୌହାର୍ଦ୍ଦ୍ୟର ଏହି ସଂକେତ ଭିତରେ, ଯେମିତି ଲୋକସଭାରେ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ଦଳ ନେତା । ଠିକ ଶୁଣିଛନ୍ତି, ଦୀର୍ଘ ୧୦ ବର୍ଷ ପରେ ବିରୋଧୀ ଦଳ ଭାବେ ଆବଶ୍ୟକ ସଂଖ୍ୟା ହାସଲ କରିଛି କଂଗ୍ରେସ । ଆଉ ଏନଡିଏ ବିରୋଧରେ ଇଣ୍ଡି ମେଂଟର ନେତା ତଥା ବିରୋଧୀ ଦଳ ନେତା ହୋଇଛନ୍ତି ରାୟବରେଲିର ସାଂସଦ ରାହୁଲ ଗାନ୍ଧୀ । ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ଭାବେ ଏହି ଆସନରେ ବସିବାକୁ ଯାଉଛନ୍ତି ।

ଲୋକସଭା ନିର୍ବାଚନରେ ଶାସକ ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାହୁଲ ଗାନ୍ଧୀ ଶାଣିତ ଆକ୍ରମଣ କରିଥିଲେ । କଂଗ୍ରେସର ପୋଷ୍ଟର ବୟ ଭାବେ ସାରା ଦେଶରେ ପ୍ରଚାର କରିଥିଲେ । ଆଉ ପରିଣାମ ସ୍ୱରୂପ କଂଗ୍ରେସର ୨୦୧୪ ଓ ୨୦୧୯ର ସ୍ଥିତିରେ ସୁଧାର ଆସିଛି । ୧୦ ବର୍ଷ ପରେ ବି ବିଜେପି କ୍ଷମତାରେ ରହିଛି କିନ୍ତୁ ସଂଖ୍ୟା ପୂର୍ବ ତୁଳନାରେ କମ୍ ରହିଛି । ଏହି ସମୟରେ ବିରୋଧୀଙ୍କ ସଂଖ୍ୟା ମଧ୍ୟ ବଢିଛି । ତେଣୁ ସଂସଦରେ ଚାଲିବ ନାହିଁ ବିଜେପି ବା ଏନଡିଏର ଏକପାଖିଆ ଆଭିମୁଖ୍ୟ । ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧୀଙ୍କ ଭୂମିକା ଉପରେ ନଜର ରହିବ ।

ରାହୁଲଙ୍କ ଉପରେ ନଜର
ବିଜେପିର ସଂଖ୍ୟା କମ୍ ଥିବାରୁ ଅଧିକ ଆକ୍ରମଣାତ୍ମକ ହେବେ କି ରାହୁଲ?
ବିରୋଧୀଙ୍କ ସଂଖ୍ୟା ବଢିଥିବାରୁ ବଢିଛି ରାହୁଲଙ୍କ ଶକ୍ତି
ପ୍ରଥମରୁ ନିଟ୍ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ମିଳିଛି ସୁଯୋଗ
ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ସିଟ୍ ବଢିଥିବାରୁ ତାଙ୍କ ଆତ୍ମବଳ ବଢିଛି
ଲୋକସଭାରେ ଭୂମିକା, ରାହୁଲଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ
ଇଣ୍ଡି ମେଂଟର ନେତା ଭାବେ ରାହୁଲଙ୍କ ଗ୍ରହଣୀୟତା ବଢିବ
ନରେନ୍ଦ୍ର ମୋଦୀ ବନାମ ରାହୁଲ ଗାନ୍ଧୀ ବୋଲି ବର୍ତ୍ତା ଯିବ