କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ସମନ କରିଛନ୍ତି । ଆସନ୍ତା ଅକ୍ଟୋବର ୩୧ ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ପଠାଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ କୁମାର ବରାଳ କରିଥିବା ଅଭିଯୋଗ ଆଧାରରେ କୋର୍ଟ ଏହି ସମନ ପଠାଇଥିବା ସୂଚନା ମିଳିଛି ।

Advertisment

୨୦୨୧ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଦର୍ଶାଯାଇଥିଲା । ହେଲେ ପୋଲିସ ଚାର୍ଜସିଟରେ ଦାଖଲ ବେଳେ ବିଧାୟକଙ୍କ ନାଁକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା ।

ହେଲେ କୋର୍ଟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ବିଧାୟକଙ୍କ ନାଁରେ ମାମଲା ଚଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ବିଧାନସଭା ନିର୍ବାଚନ ରହିଛି । ଏପରି ସ୍ଥିତିରେ କଣ ହେବ ପ୍ରତାପ ଜେନାଙ୍କ ଭବିଷ୍ୟତ ତାକୁ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଯଦି ପ୍ରତାପ ଜେନା କୋର୍ଟରେ ହାଜର ନହେବେ ତାହେଲେ କ'ଣ ହେବ ?