ଅଯୋଧ୍ୟା: ବିବାଦରେ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା କିଣାଯାଇଥିବା ଆଉ ଏକ ସଂପତ୍ତି । ଚମ୍ପତ ରାୟଙ୍କୁ କୋର୍ଟର ନୋଟିସ

99

କନକ ବ୍ୟୁରୋ : ଶ୍ରୀ ରାମଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ୱାରା କିଣା ଯାଇଥିବା ଆଉ ଏକ ଜମି ଏବେ ବିବାଦରେ ଫଶିଛି । ରାମ ମନ୍ଦିର ପରିସରରେ ଥିବା ଫକିର ରାମ ମନ୍ଦିର ଓ ତା’ର ଜମିକୁ ରାମ ମନ୍ଦିର ଟ୍ରଷ୍ଟ ୨୦୨୧ ମାର୍ଚ୍ଚ ୨୭ ତାରିଖରେ କିଣିଥିଲା । ଏହି ଜମି କିଣାଯିବା ଠାରୁ ବିବାଦ ଦେଖା ଦେଇଥିଲା । ଏବେ ଏହି ମାମଲା ଫୈଜାବାଦ ସିବିଲ ଜଜ୍ ସିନିୟର ଡିଭିଜନ କୋର୍ଟରେ ପହଂଚିଛି । କୋର୍ଟ ତରଫରୁ ଜମି ବିକିଥିବା ରଘୁବର ଶରଣ ଓ ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ ରାୟଙ୍କୁ ନୋଟିସ୍ କରିଛି ।

ଏହି ମାମଲା ବିରାଜମାନ ଭଗବାନ ଓ ତାଙ୍କ ବନ୍ଧୁ ସନ୍ତୋଷ ଦୁବେ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିଲା । ଏମାନେ କୋର୍ଟରେ ଜମି ବିକ୍ରି କରିଥିବା ରଘୁବର ଶରଣଙ୍କ ମାଲିକାନାତ୍ୱ ଉପରେ ମାମଲା ଦାଖଲ କରିଥିଲେ । ଏହାସହ ଜମିର ରେଜେଷ୍ଟ୍ରୀ ରଦ୍ଦ କରିବା , ସାରା ଦେଶରେ ଥିବା ମନ୍ଦିର ଜମିର ରିସିଭର ନିଯୁକ୍ତ କରିବା, ମନ୍ଦିରରେ କ୍ଷତି ନ ପହଂଚାଇବା ସହ ଭଗବାନଙ୍କୁ ନିୟମିତ ଭୋଗ ରାଗ ପ୍ରଦାନ କରିବା ନେଇ ମାମଲା ରୁଜୁ ହୋଇଥିଲା ।

ବାବରୀ ମସଜିଦ୍ ଭଙ୍ଗା ମାମଲାରେ ଅଭିଯୁକ୍ତ ଥିବା ସନ୍ତୋଷ ଦୁବେ ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ କରି କହିଛନ୍ତି କି ରାମ ମନ୍ଦିର ନିୟମ ମୁତାବକ ନିର୍ମାଣ କରାଯାଉ । ଏହାସହ ରାମ ମନ୍ଦିର ପାଇଁ ସେ ତାଙ୍କ ଜୀବନର ସବୁ ସମୟ ଶେଷ କରିଦେଇଥିବା ସହ ମନ୍ଦିର ପାଇଁ ଗୁଳି ଖାଇଛନ୍ତି ବୋଲି ସେ କହିଛନ୍ତି । ଏହାସହ ସେ ଟ୍ରଷ୍ଟର ସଦ୍ୟସ୍ୟ ମାନଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ଟ୍ରଷ୍ଟରେ ବସିଥିବା ଲୋକ ଟଙ୍କା ପାଇଁ କିଛି ବି କରିପାରନ୍ତି । ରାମ ନାମରେ ଚାଲିଥିବା ଲୁଟ ବିରୋଧରେ ସେ ଅଦାଲତର ଦ୍ୱାରସ୍ଥ ହୋଇଥିବା କଥା କହିଛନ୍ତି ।