ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କୁ ମିଳୁନି ବେଲ୍ । କାଲିକୁ ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି । 

108

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ, ଏନସିବି ଆଜି ମଧ୍ୟ ଆରୟନ ଖାନଙ୍କ ଜାମିନ ଆବେଦନକୁ ବିରୋଧ କରିଛି । ଆଜି ଆରୟନଙ୍କ ଓକିଲ ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ । ଏନସିବିକୁ ପ୍ରଶ୍ନ କରିଥିଲେ, ୨୦ଦିନ ଜେଲରେ ରଖିବା ପରେ ତମେ କଣ ପାଇଲ । ଶୁଣାଣି ପରେ କୋର୍ଟ କହିଥିଲେ ଆସନ୍ତାକାଲି ବି ଶୁଣାଣି ଜାରି ରହିବ ।

ବମ୍ବେ ହାଇକୋର୍ଟରେ ଡ୍ରଗ୍ସ ମାମଲା । ଆରୟନଙ୍କ ଶୁଣାଣୀ ଉପରେ ସଭିଁଙ୍କ ନଜର । ଆଞ୍ଚଳିକ ଗଣମାଧ୍ୟମରୁ ଆରମ୍ଭ କରି ନ୍ୟାସନାଲ ମିଡିଆ । ସବୁଠି ଚର୍ଚ୍ଚା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ନେଇ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ୨୩ ଦିନ ଧରି ଜେଲରେ ଥିବା ଆରୟନ ଖାନ୍ଙ୍କ ଜାମିନ୍ ନେଇ ବମ୍ବେ ହାଇକୋର୍ଟରେ ହୋଇଛି ଶୁଣାଣୀ । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତୋଗି ହାଇକୋର୍ଟରେ ଆରୟନଙ୍କ ପାଇଁ ପକ୍ଷ ରଖିଛନ୍ତି । କୋର୍ଟରେ ଏନସିବିର ସବୁ ଯୁକ୍ତିର ଜବାବ ରଖିଛନ୍ତି ଆରୟନଙ୍କ ଓକିଲ ମୁକୁଲ ରୋହତୋଗି ।

ମୁକୁଲ ରୋହତୋଗିଙ୍କ ଯୁକ୍ତି:

– କ୍ରୁଜରେ ଆରୟନ ଅତିଥି ହୋଇ ଯାଇଥିବା ହାଇକୋର୍ଟରେ ଯୁକ୍ତି ବାଢିଛନ୍ତି ମୁକୁଲ ରୋହତୋଗି 

– ଆରୟନ ଓ ଅର୍ବାଜ ମର୍ଚ୍ଚାଂଟ ଅତିଥି ଭାବେ ଯାଇଥିବାରୁ ତାଙ୍କ ପାଖରେ କ୍ରୁଜର ଟିକେଟ ମଧ୍ୟ ନଥିଲା

– ଆରୟନ ଅପରାହ୍ନ ୪.୩୦ରେ କ୍ରୁଜ୍ ଟର୍ମିନାଲରେ ପହଞ୍ଚିଥିଲେ, ଯେବେକି ଡ୍ରଗ୍ସ ପାର୍ଟି ନେଇ ଏନସିବି ପାଖରେ ପୂର୍ବରୁ ଖବର ଥିଲା 

– ରେଡ୍ ବେଳେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ 

ହାଇକୋର୍ଟରେ ଏନସିବି ପକ୍ଷରୁ କୁହାଯାଇଛି ଯେ, ଶାହରୁଖ ଖାନଙ୍କ ମ୍ୟାନେଜର ପ୍ରିୟା ଦଦଲାନି ସାକ୍ଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ଆରୟନଙ୍କ ସମ୍ପୃକ୍ତି ଅନ୍ତର୍ଜାତୀୟ ଡ୍ରଗ୍ସ ଟ୍ରାଫିକିଂ ସହିତ ରହିଛି । ତାଙ୍କ ହ୍ୱାଟ୍ସଆପ ଚାଟରୁ ଯାହା ସ୍ପଷ୍ଟ ହୋଇଛି । ଏନସିବିର ଯୁକ୍ତି ପରେ ଆରୟନଙ୍କ ଓକିଲ କହିଛନ୍ତି,

ମୁକୁଲ ରୋହତୋଗିଙ୍କ ଯୁକ୍ତି:

– ଏନସିବି ଅଧିକାରୀଙ୍କ ବିରୋଧରେ ଆରୟନଙ୍କ କିଛି ଅଭିଯୋଗ ନାହିଁ 

– ଏବେ ଯାହା ସବୁ ବିବାଦ ଚାଲିଛି ସେଥିରେ ଆରୟନଙ୍କ କୌଣସି ସମ୍ପର୍କ ନାହିଁ 

– ଏନସିବି ଯେଉଁ ଚ୍ୟାଟ୍ସ ବିଷୟରେ କହୁଛନ୍ତି ତାହା ୨୦୧୮-୧୯ ବେଳର 

– ମୁମ୍ବାଇ କ୍ରୁଜ୍ ମାମଲା ସହ ସେ ଚ୍ୟାଟ୍ସର କୌଣସି ସମ୍ପର୍କ ନାହିଁ 

ସେପଟେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଦିଲ୍ଲୀ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆରୟନ ଖାନଙ୍କୁ ଛାଡିବା ପାଇଁ ୨୫ କୋଟିର ଲାଞ୍ଚ ମାଗିଥିବା ତାଙ୍କ ବିରୋଧରେ ଅଭିଯୋଗ ଲାଗିଛି । ଅନ୍ୟପଟେ ଏନସିବି ଅଧିକାରୀ ଏବଂ ତାଙ୍କ ପରିବାରକୁ ମାରିଦେବାକୁ ଧମକ ଦିଆଯାଉଥିବା କହିଛନ୍ତି ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ରେଦକର । ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ୍ ରେବ ପାର୍ଟି ବେଳେ ରେଡ୍ କରି ଆରୟନ ଖାନଙ୍କୁ ଗିରଫ କରିଥିଲା ।