କନକ ବ୍ୟୁରୋ: ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁୁ ଚାନ୍ଦ ଶେଷରେ ଜେଲ ଯାଇଛନ୍ତି । ଜାମିନ ଆବେଦନ ଖାରଜ ହୋଇଯିବା ପରେ ୧୪ଦିନିଆ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି ଜଗବନ୍ଧୁ । ତେବେ ଜଗବନ୍ଧୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଉପର କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି କହିଛନ୍ତି ତାଙ୍କ ଓକିଲ । ଜଗବନ୍ଧୁଙ୍କ ବିରୋଧରେ ପ୍ରମାଣ ପାଇବା ପରେ ଆଜି ତାଙ୍କୁ ସତ୍ୟବିହାର ସ୍ଥିତ ଘରୁ ସକାଳୁ ଉଠାଇ ନେଇଥିଲା ପୋଲିସ । ଆଉ ପଚରାଉଚୁରା କରିବା ପରେ କୋର୍ଟରେ ହାଜର କରାଯାଇଥିଲା । ହେଲେ, ଏହି ହନିଟ୍ରାପ ମାମଲାର ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ର ଖସି ଯାଇଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଛି ।
ବିଳମ୍ବରେ ହେଲେ ବି ଆକ୍ସନ ମୋଡକୁ ଆସିଲା କମିଶନରେଟ୍ ପୋଲିସ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ସାରାରାଜ୍ୟକୁ ହୁଲୁସ୍ତୁଲ କରୁଥିବାବେଳେ, ଶେଷରେ ହନିଟ୍ରାପର ମୁଖ୍ୟ ସହଯୋଗୀ, ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ପୋଲିସ । ଜଗବନ୍ଧୁଙ୍କ ବିରୋଧରେ ତଥ୍ୟ ଭିତିକ ପ୍ରମାଣ ଏକାଠି କରିବା ପରେ, ନିଜ ହେପାଜତକୁ ନେଇ ପଚରାଉଚୁରା କରିଥିଲା ପୋଲିସ । ଜେରାବେଳେ ପୋଲିସ ଆଗରେ ସତ ଉଗାଳିଥିବା ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । କଡା ସୁରକ୍ଷା ବଳୟ ଭିତରେ ସନ୍ଧ୍ୟାରେ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଦେଇ ମୁହଁ ନଖୋଲି ଚାଲିଯାଇଥିଲେ ଜଗବନ୍ଧୁ ।
ଯୁବତୀଙ୍କ ଅଭିଯୋଗ କ୍ରମେ ଖଣ୍ଡଗିରି ଥାନାରେ ୧୬ଟି ଦଫା ଲଗାଇ ତିନି ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା ପୋଲିସ । ମାନବ ଚାଲାଣ ଭଳି ସଂଗୀନ ଦଫା ଲଗାଇ, ଅର୍ଚ୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ, ଜଗବନ୍ଧୁ ଚାନ୍ଦଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ତୃତୀୟ ଅଭିଯୁକ୍ତ କରିଥିଲା ପୋଳିସ । । ହେଲେ, ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପୋଲିସ ବାନ୍ଧିଥିଲାବେଳେ ଖଗେଶ୍ୱର ଖସି ଯାଇଥିବା ନେଇ ଚର୍ଚ୍ଚା ହେଉଛି ।
ବିଳମ୍ବରେ ଜଗବନ୍ଧୁଙ୍କ ଗିରଫଦାରୀ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ଯଥେଷ୍ଟ ସମୟ ମିଳିବାରୁ ଜଗବନ୍ଧୁ ପ୍ରମାଣ ନଷ୍ଟ କରି ତଦନ୍ତକୁ ଦିଗ ହରା କରିପାରନ୍ତି ବୋଲି ସନ୍ଦେହ କରିଛି ଆଇନଜୀବୀ ଓ ପୂର୍ବତନ ପୋଲିସ ଡିଜି । କହିଛନ୍ତି, ଅର୍ଚ୍ଚନାଙ୍କୁ ଯେଉଁଦିନ ଗିରଫ କରାଗଲା ସେହିଦିନ ଜଗବନ୍ଧୁଙ୍କୁ ଗିରଫ କରାନଯିବାରୁ ସେ ପ୍ରମାଣକୁ ଟାମ୍ପରିଙ୍ଗ କରିଥାଇ ପାରନ୍ତିି । ସମ୍ପତି ଲୁଚାଇବା ପାଇଁ ସୁଯୋଗ ପାଇଗଲେ ।
ଅର୍ଚ୍ଚନାଙ୍କ ସାମ୍ରାଜ୍ୟରେ କାହାର ସମୃକ୍ତି ଥିଲା ସେ ଦିଗଟି ଏବେ ରହସ୍ୟରେ ରହିଛି । କିନ୍ତୁ ପୋଲିସର ତଦନ୍ତ କେତେ ବାଟ ଆଗେଇଛି ତାହା କାହାକୁ ଜଣାନାହିଁ । ଯାହାକୁ ନେଇ ପ୍ରଶ୍ନର ପାହାଡ଼ ଛିଡ଼ା ହୋଇଛି । ଏସବୁ ଭିତରେ ଗୁରୁବାର ପୋଲିସ କମିଶନର ସୈାମିନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନରେ କୌଣସି ଉତର ନଦେଇ ମୁହଁ ବୁଲାଇ ଚାଲିଯିବା ଚର୍ଚ୍ଚାର ବିଷୟ ହୋଇଛି ।
ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ପୋଲିସ କମିଶନର ମୁହଁ ବୁଲାଇ ଚାଲିଯିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ରାଜ୍ୟର ସବୁଠାରୁ ବଡ ସେକ୍ସ ସ୍କାଣ୍ଡାଲ କୁହାଯାଉଥିବା ଏହି ମାମଲାର ରହସ୍ୟ ଖୋଲିବ ନା ଚାପି ହୋଇଯିବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/17-15.jpg)