କନକ ବ୍ୟୁରୋ : ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରକାଶନ ଉପରେ ଲାଗିଲା ଅଙ୍କୁଶ । ଓଡିଆ କଥା ସାହିତ୍ୟର ଜନକ ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତ ଲେଖା ପ୍ରକାଶ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କଟକ ବରିଷ୍ଠ ସର୍ଭିଲ ଜଜ ଅର୍ଥାତ୍ କମ୍ରସିଆଲ୍ ଅଦାଲତ । କୋର୍ଟଙ୍କ କହିବା ଅନୁସାରେ, ବ୍ୟାସକବିଙ୍କ ହାତଲେଖା ପ୍ରକାଶ କରିପାରିବେ ନାହିଁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଲଲାଟେନ୍ଦୁ ଦାଶମହାପାତ୍ର । ଏହାସହ ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ମାସ ମଧ୍ୟରେ ପାଣ୍ଡୁଲିପି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Advertisment

ମିନାକ୍ଷୀ ଦତ୍ତଙ୍କ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି କୋର୍ଟ । ୨୦୧୯, ଅଗଷ୍ଟ ୧୮ରେ ହୋଇଥିବା ଚୁକ୍ତି ନାମା ଅନୁସାରେ, ଆବେଦନକାରୀଙ୍କ ପକ୍ଷରୁ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବା ୫୧୯ ପୃଷ୍ଠାର ‘ମୋ ଜୀବନୀ’ ସହ ଅନ୍ୟ ପାଣ୍ଡୁଲିପି ପ୍ରକାଶ ପାଇ ପାରିବ ନାହିଁ । ଏହା ଉପରେ ସ୍ଥାୟୀ ରୋକ ଲଗାଇଛନ୍ତି କୋର୍ଟ । ଆବେଦନକାରୀ ମିନାକ୍ଷୀ ଦତଙ୍କର ସ୍ୱତ୍ୱାଧିକାରୀ ଓ ଏହାର ମାର୍ଫତଦାର ହୋଇଥିବାରୁ ତାଙ୍କୁ ଫକୀରମୋହନଙ୍କ ପାଣ୍ଡୁଲିପି ଫେରାଇଦେବାକୁ କୋର୍ଟ କହିଛନ୍ତି । ୫୧୯ ପୃଷ୍ଠାର ମୋ ଜୀବନୀ, ୩ ହଜାର ପୃଷ୍ଠାର ମହାଭାରତ, ୭ଶହ ପୃଷ୍ଠାର ୭ ଖଣ୍ଡ ରାମାୟଣ ଓ ଅନ୍ୟକେତକ ପାଣ୍ଡୁଲିପିର ଡିଜିଟାଲ ଫାଇଲ ପ୍ରସ୍ତୁତ କରିବାକୁ ଚୁକ୍ତି ହୋଇଥିଲା । ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଫକୀରମୋହନଙ୍କ ଅଣନାତୁଣୀ ।