କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ବଢିଲା ଅଡୁଆ । ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପାଙ୍କ ନାଁରେ ପୋକସୋ ଆକ୍ଟରେ ଜାମିନ ବିହୀନ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି ବେଙ୍ଗାଲୁରୁର ଏକ ଅଦାଲତ । ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ୟେଦୁରପ୍ପାଙ୍କ ବିରୋଧରେ ପୋକସୋ ଆକ୍ଟ ଓ ଆଇପିସିର ଧାରା ୩୫୪ ଏ (ଯୌନ ନିର୍ଯାତନା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଚଳିତବର୍ଷ ଫେବ୍ରୁଆରୀ ୨ ତାରିଖରେ ବେଙ୍ଗାଲୁରୁର ଡଲର୍ସ କଲୋନୀସ୍ଥିତ ନିଜ ଘରେ ଏକ ବୈଠକ ସମୟରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ଆଣିଥିଲେ ନାବାଳିକାଙ୍କ ମା’ ।

Advertisment

ଏବେ ୟେଦୁରପ୍ପା ଦିଲ୍ଲୀରେ ରହିଛନ୍ତି । ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ୟେଦୁରପ୍ପାଙ୍କ ନାଁରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି କରିବାକୁ ରାଜ୍ୟ ସିଆଇଡି ଅଦାଲତରେ ଆବେଦନ କରିଥିଲା । ଏହାପୂର୍ବରୁ ଗୃହବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଯଦି ଆବଶ୍ୟକ ପଡେ ତେବେ ୟେଦୁରପ୍ପାଙ୍କୁ ଗିରଫ କରାଯାଇପାରେ । ଜୁନ୍ ୧୨ ସୁଦ୍ଧା ୟେଦୁରପ୍ପାଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଦିଲ୍ଲୀରେ ଥିବାରୁ ୧୭ ଜୁନରେ ଅଦାଲତରେ ହାଜର ହେବାକୁ କହିଥିଲେ ୟେଦୁରପ୍ପା ।

ଗତ ମାର୍ଚ୍ଚ ମାସରେ ବେଙ୍ଗାଲୁରୁର ସଦାଶିବନଗର ପୋଲିସ ଥାନାରେ ଜଣେ ମହିଳା ଅଭିଯୋଗ ଆଣି କହିଥିଲେ ଯେ, ତାଙ୍କ ନାବାଳିକା ଝିଅଙ୍କୁ ୟେଦୁରପ୍ପା ଯୌନ ନିର୍ଯାତନା ଦେଇଛନ୍ତି । କୌଣସି କାମରେ ୟେଦୁରପ୍ପାଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ଝିଅ ସେଠାରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଏହି ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ସିଆଇଡିକୁ ଦିଆଯାଇଥିଲା ।