ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି

466

କନକ ବ୍ୟୁରୋ : ବିବାହ ବିଚ୍ଛେଦ ସରିଛି । କିନ୍ତୁ ବିବାଦ ଶେଷ ହୋଇନି । ଅଭିନେତ୍ରୀରୁ ରାଜନେତା ବନିଥିବା ବର୍ଷା ପ୍ରିୟଦର୍ଶିନୀ ୪ ବର୍ଷ ତଳେ ଅର୍ଥାତ ୨୦୨୦ ଡିସେମ୍ବର ୧୯ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।

ଏହି ଏତଲା ଆଧାରରେ କଟକର ଜେଏମଏଫସି କୋର୍ଟ ମାମଲାକୁ ବିଚାର କରିଛନ୍ତି । ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ସମନ କରିଥିଲେ । କିନ୍ତୁ ହାଜର ନହେବା ପରେ ଜଏମଏଫସି କୋର୍ଟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତିା

ବର୍ଷା ପୁରୀଘାଟ ଥାନାରେ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଯେଉଁଥିରେ ଅନୁଭବ ମହାନ୍ତି, ତାଙ୍କ କର୍ମଚାରୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳାଇଙ୍କ ନାଁ ରହିଛି । ଏହି ୩ ଜଣ ବ୍ୟକ୍ତି ତାଙ୍କ ରୁମ୍ ଭିତରକୁ ପଶି ତାଙ୍କ ଫଟୋ, ଭିଡିଓ ରେକର୍ଡିଂ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ଏହାପରେ ପୋଲିସ ଦଫା ୪୯୮(ଏ), ୩୫୪, ୫୦୯, ୧୦୯ ଓ ୩୪ରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ତଳ କୋର୍ଟ ଗ୍ରହଣ କରିଥିଲେ । ଦାୟର ହୋଇଥିବା ମାମଲା ମିଛ ବୋଲି ଦର୍ଶାଇ ଅନୁଭବ ମହାନ୍ତି ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । କୋର୍ଟ କିନ୍ତୁ ମାମଲା ଚାଲିବ ବୋଲି କହିଥିଲେ । ପରେ ୩ ଜଣଙ୍କ ନାମରେ ମେ ୮ରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେ ୧୦ରେ ଏତଲା ଆଧାରରେ ତିନି ଅଭିଯୁକ୍ତଙ୍କୁ ହାଜର ହେବାକୁ କହିଥିଲେ । ନିର୍ବାଚନ ଚାଲିଥିବାରୁ ସୋମବାର ଅନୁଭବ ନିଜେ ହାଜର ହୋଇନଥିଲେ । ବରଂ ଅଧିକ ସମୟ ଲୋଡିଥିଲେ । ଏହାପରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ମେ ୨୩ ସୁଦ୍ଧା ୱାରେଂଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ କୁହାଯାଉଛି ଅନୁଭବ ମହାନ୍ତିଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ସେ ତଳ କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ନଚେତ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇ ଏନବିଡବ୍ଲୁକୁ ବାତିଲ କରିବାକୁ ଆବେଦନ କରିପାରିବେ ।