ମାଲ୍ୟାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ପିଏମଏଲଏର ସ୍ୱତନ୍ତ୍ର କୋର୍ଟ । କହିଲେ, ସମ୍ପତ୍ତି ବିକ୍ରି କରି ନିଜର କ୍ଷତି ଭରଣା କରିବେ ବ୍ୟାଙ୍କ

278

କନକ ବ୍ୟୁରୋ : ୯ହଜାର କୋଟି ଟଙ୍କାର ଋଣ ଠକେଇ କରି ପଳାତକ ସାଜିଥିବା ବିଜୟ ମାଲ୍ୟାଙ୍କ ସମ୍ପତି ବିକ୍ରି କରି ସେହି ଅର୍ଥ ବ୍ୟାଙ୍କ ଗୁଡିକ ନିଜ କ୍ଷତି ଭରଣା କରିବେ । ଆର୍ଥିକ ଅନିୟମିତତା ପ୍ରତିରୋଧକ ଆଇନ ବା ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ବୁଧବାର ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଏସବିଆଇ ଓ ଅନ୍ୟ ବ୍ୟାଙ୍କ ଗୁଡିକୁ ମାଲ୍ୟାଙ୍କ ସମ୍ପତି ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାଲ୍ୟାଙ୍କ ସମ୍ପତି ବିକ୍ରି କରି କ୍ଷତି ଭରଣା କୌଣସି ଆପତି ନଥିବା କୁହାଯାଇଥିଲା ।

ମାମଲାର ଶୁଣାଣୀ ସମୟରେ ମାଲ୍ୟାଙ୍କ ଓକିଲ କୋର୍ଟଙ୍କ ନିଷ୍ପତି ଉପରେ ଆପତି ଜଣାଇ କେବଳ ଋଣ ଅସୁଲି ନ୍ୟାୟାଧିକରଣ ଏଭଳି ନିଷ୍ପତି ନେଇପାରିବେ ବୋଲି କହିଥିଲେ । ତେବେ ପିଏମଏଲଏ କୋର୍ଟ ନିଜ ନିଷ୍ପତି ଉପରେ ଆସନ୍ତା ଜାନୁୟାରୀ ୧୮ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି । ଏହି ସମୟ ମଧ୍ୟରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି । ବିଭିନ୍ନ ବ୍ୟାଙ୍କରୁ ମାଲ୍ୟା ୯ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ କରି ନଥିଲେ । ଏହାପରେ ସେ ବ୍ରିଟେନ ଫେରାର ହୋଇ ସେଠାରେ ଆତ୍ମଗୋପନ କରିଛନ୍ତି । ବ୍ରିଟେନର ଏକ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲାର ବିଚାର ଚାଲିଛି ।