ବ୍ୟାସକବି ଫକୀରମୋହନଙ୍କ ହାତଲେଖା ଆତ୍ମଜୀବନୀର ପ୍ରକାଶନ ଉପରେ ଅଙ୍କୁଶ : ଅଣନାତୁଣୀ ମୀନାକ୍ଷୀ ଦତଙ୍କ ଆବେଦନର ଶୁଣାଣୀ କରି ଅନ୍ତରୀଣ ଅଙ୍କୁଶ ଲଗାଇଲେ ଅଦାଲତ

92

କନକ ବ୍ୟୁରୋ : ବ୍ୟାସକବି ଫକୀରମୋହନ ସେନାପତିଙ୍କ ହାତ ଲେଖା ଆତ୍ମଜୀବନୀ ପ୍ରକାଶନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଅଦଲତ । ଫଳରେ ଏହାର ପ୍ରକାଶନ ନେଇ ଅନିଶ୍ଚିତତା ସୃଷ୍ଟି ହେଇଛି । ପ୍ରକାଶନ ବନ୍ଦ ପାଇଁ ଅଦାଲତରେ ଗୁହାରି କରିଥିଲେ ଫକୀରମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତ । ଫକୀରମୋହନଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପାଇଁ କିଛି ବିଶିଷ୍ଟ ସାହିତ୍ୟିକ ଉଦ୍ୟମ କରୁଥିବା ବେଳେ ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି ।

ବ୍ୟାସକବିଙ୍କ ହାତଲେଖାର ଡିଜିଟାଲ ଫାଇଲ ପ୍ରସ୍ତୁତ କରିବା ସହ ଆତ୍ମଜୀବନୀ ପ୍ରକାଶ ପାଇଁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଳଲାଟେନ୍ଦୁ ଦାଶମହାପାତ୍ର ଆଗେଇ ଆସିଥିଲେ । ଫକୀରମୋହନଙ୍କ ଉତରାଧିକାରୀ ଭାବେ ତାଙ୍କ ଅଣନାତୁଣୀ ମୀନାକ୍ଷୀ ଦତଙ୍କ ସହ ଏ ନେଇ ଚୁକ୍ତିନାମା କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଚୁକ୍ତିନାମା ସର୍ତ ଉଲ୍ଲଂଘନ ଏବଂ ତାଙ୍କ ବିନା ଅନୁମତିରେ ଆତ୍ମଜୀବନୀ ପ୍ରକାଶ ପାଇଁ ଉଦ୍ୟମ କରାଯାଉଥିବା ନେଇ ଅଦାଲତରେ ଅଭିଯୋଗ କରିଥିଲେ ମୀନାକ୍ଷୀ ଦେବୀ ।

ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ ଯେ ଫକୀରମୋହନଙ୍କ ସବୁ ପୁରୁଣା ଲେଖାକୁ ସେ ବର୍ଷ ବର୍ଷ ଧରି ସାଇତି ରଖିଥିବାରୁ ସେସବୁର ମାଲିକାନା ତାଙ୍କ ନିକଟରେ ରହୁ । ହାତଲେଖାକୁ ଡିଜିଟାଇଜ୍ କରିବାକୁ ସେ ଯାହାଙ୍କୁ ଦାୟିତ୍ୱ ଦେଇଥିଲେ, ସେଗୁଡିକୁ ତାଙ୍କୁ ହସ୍ତାନ୍ତର କରାଯାଉ । ଏସବୁର ପ୍ରକାଶନ ଯେପରି ସେମାନେ କରିନପାରନ୍ତି, ସେଥିରେ ରୋକ୍ ଲଗାଯାଉ । ଏହାର ଶୁଣାଣି କରି ପ୍ରକାଶନ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି ଅଦାଲତ । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।