କନକ ବ୍ୟୁରୋ : ୮ବର୍ଷ ପୁଅର ମୃତ୍ୟୁ ପରେ ବାପା ମାଙ୍କ ବିଷପିଇ ଆତ୍ମହତ୍ୟା । ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ବିଝାଂରପୁର ଥାନା ଅନ୍ତର୍ଗତ ଉଡ୍ରଙ୍ଗ ପଂଚାୟତର କୁରି ସାହିରେ । ମିଳିଥିବା ସୂଚନା ଅନୁଯାୟୀ ପ୍ରଦୀପ ଓ ପ୍ରଭାତି ଜେନାଙ୍କ ଏକମାତ୍ର ପୁଅ ଓମ୍ ଥାଲାସେମିୟାରେ ପିଡିତ ଥିଲେ । ରକ୍ତ ବଦଳାଯାଉଥିବାରୁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଥିଲା । ସୋମବାର ଓମର ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ବାପା ମା ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଇଥିଲେ । ହେଲେ ପୁଅର ଅକାଳ ମୃତ୍ୟୁ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
୬ ମାସ ତଳେ ତାଙ୍କର ୫ବର୍ଷର ଝିଅର ମଧ୍ୟ ସେହି ଥାଲାସେମିଆ ରୋଗରେ ମୃତ୍ୟୁ ଘଟିଥିଲା। ଥାଲେସେମିଆ ରୋଗରେ ଆଗ ଝିଅ ଏବଂ ଏବେ ପୁଅର ମୃତ୍ୟୁ ପରେ ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଘରେ ୩ ଦିନ ହେବ ଚୁଲି ଜଳୁ ନଥିଲା। ତେବେ ପୁଅ ମୃତ୍ୟୁକୁ ସହ୍ୟ କରି ନପାରି ପ୍ରଦୀପ ଓ ତାଙ୍କ ପତ୍ନୀ ପ୍ରଭାତୀ ଶୋଇବା ଘର ଭିତରୁ କବାଟ ଦେଇ ବିଷ ପିଇ ଦେଇଥିଲେ। ସଂଧ୍ୟା ହେବାରୁ ପରିବାର ଲୋକ ସନ୍ଦେହ କରି ଗାଁଲୋକଙ୍କ ସହଯୋଗରେ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତୃପକ୍ଷ ଟାଉନ୍ ଥାନାକୁ ଜଣାଇବା ପରେ ଟାଉନ ପୁଲିସ ବିଂଝାରପୁର ପୁଲିସକୁ ଖବର ଦେଇଥିଲେ। ଶବ ଦୁଇଟିକୁ ମେଡିକାଲ ଶବାଗାରରେ ରଖାଯାଇଛି। ଆଜି ବିଂଝାରପୁର ପୁଲିସ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଟାଉନ ଥାନା ଅଧିକାରୀ ମାନସରଂଜନ ଚକ୍ର ପ୍ରକାଶ କରିଛନ୍ତି।