ଠକାମୀ ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱରର ଧୂର୍ତ୍ତ ଦମ୍ପତି । ନକଲି କାଗଜପତ୍ର ବଳରେ ଭଡ଼ା ଘର କବଜା କରିବାକୁ ଚଳାଇଥିଲେ ଉଦ୍ୟମ

214

କନକ ବ୍ୟୁରୋ: ଠକାମି ଅଭିଯୋଗରେ ଗିରଫ ହୋଇଛନ୍ତି ରାଜଧାନୀର ୪୨୦ ଦମ୍ପତି । ଘର ଭଡା ନେବା ପରେ ନକଲି ରେଜିଷ୍ଟ୍ରି ରେକର୍ଡ ବଳରେ କୋଟି କୋଟି ଟଙ୍କାର ଘରକୁ କବଜା କରିବାକୁ କରୁଥିଲେ ଉଦ୍ୟମ । ଏପରିକି ଘର ମାଲିକଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଛନ୍ଦିଥିଲେ ସନ୍ଦୀପ ପ୍ରସାଦ ଓ ତାଙ୍କ ସ୍ତ୍ରୀ ସୋନାଟା ଦାଶ । ଶେଷରେ ଚନ୍ଦ୍ରଶେଖର ଥାନା ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି । କୋର୍ଟ ଚାଲାଣ ହେବା ପରେ ସେମାନଙ୍କୁ ଝାରପଡା ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

  • ୨୦୧୬ରେ ଆସିଥିଲେ ଭୁବନେଶ୍ୱର
  • ୨୦୧୭ରେ ଚନ୍ଦ୍ରଶେଖରପୁରରେ ଥିବା ସୁମନ ମିଶ୍ରଙ୍କ ଘର ଭଡ଼ାରେ ନେଇ କରିଥିଲେ ପାର୍ଲର
  • ଘର ଭଡ଼ା ନେବା ପୂର୍ବରୂ ମାଲିକଙ୍କ ସହ ଏକ ଚୁକ୍ତିନାମା କରିଥିଲେ
  • ଏକ ବର୍ଷ ପାଇଁ ଭଡା ମାସକୁ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା

ଭଡ଼ା ଘରକୁ କିପରି ନିଜ ନାଁରେ କରିବେ, ସେ ନେଇ ସ୍ୱାମୀ ଓ ସ୍ତ୍ରୀ ଖେଳିଥିଲେ ଚାଲ୍ । ବର୍ଷେ ପୂରିବା ପରେ ଭଡ଼ା ମାଗିବାରୁ ଘର ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଆଉ ଚଞ୍ଚକତା କରି ଭଡାଘରକୁ ନିଜ ଘର କହି ନକଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟର୍ଙ୍କ ଦ୍ୱାରସ୍ଥ ହୋଇଥିଲେ ଠକ ଦମ୍ପତି । ସେପଟେ ଏନେଇ ଘର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଦେଶରେ ହୋଇଥିବା ଯାଞ୍ଚରୁ କାଗଜପତ୍ର ନକଲି ବୋଲି ଜଣାପଡ଼ିଥିଲା । ଯାହା ପରେ ପୋଲିସ ଏହି ଠକ ଦମ୍ପତିଙ୍କୁ ଗିରଫ କରିଛି ।

ଏହି ଠକ ଦମ୍ପତିଙ୍କ ନାଁରେ ପୂର୍ବରୁ ମଧ୍ୟ କିଛି ଠକେଇ ଅଭିଯୋଗ ରହିଛି । ଏମାନେ ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ପରେ ଘର ମାଲିକଙ୍କୁ ନକଲି ଡକ୍ୟୁମେଣ୍ଟ ଦେଖାଇ ବ୍ଲାକମେଲ କରୁଥିଲେ । ସେପଟେ ଏହି ଦମ୍ପତିଙ୍କ ନାଁରେ ଆଉ କେଉଁଠି ଠକେଇ ମାମଲା ରହିଛି, ସେ ନେଇ ତଦନ୍ତ ଚଳାଇଛି ପୋଲିସ ।