କନକ ବ୍ୟୁରୋ: ଉତ୍ତର ପ୍ରଦେଶର ଆଲିଗଡ ଦେଶରେ ତାଲା ତିଆରି କରିବା ପାଇଁ ବେଶ ପରିଚିତ । ହେଲେ ତାଲା ସାଧାରଣତଃ ଆମେ ଛୋଟ ଛୋଟ ଦେଖି ଥାଉ । କିନ୍ତୁ କେବେ ମଣିଷଠାରୁ ବି ଅଧିକ ଉଚ୍ଚତାର ତାଲା ଆପଣ କେବେ ଦେଖି ନଥିବେ । ହେଲେ ଆଲିଗଡରେ ରହୁଥିବା ଜଣେ ବୃଦ୍ଧ ଦମ୍ପତ୍ତି କିନ୍ତୁ ଏଭଳି ଏକ ତାଲା ତିଆରି କରିଛନ୍ତି ଯାହା ମଣିଷଠୁ ବି ଅଧିକ ଉଚ୍ଚ । ଆଉ ଏହି ତାଲାର ଉଚ୍ଚତା ହେଉଛି ୧୦ ଫୁଟ ।

Advertisment

ଏହି ତାଲାକୁ ଆଲିଗଡର ଔଧଗିକ ଓ କୃଷି ପ୍ରଦର୍ଶନୀରେ ରଖାଯାଇଛି । ପ୍ରଦର୍ଶନୀକୁ ଆସୁଥିବା ଲୋକମାନେ ଏହି ତାଲାକୁ ଦେଖୁଛନ୍ତି । ଏହି ତାଲାକୁ ଅଯୋଦ୍ଧାର ରାମ ମନ୍ଦିରକୁ ଉପହାର ସ୍ୱରୁପ ଦେବା ପାଇଁ ବୃଦ୍ଧ ଦମ୍ପତ୍ତି କହିଛନ୍ତି ।

ଆଲିଗଡର ଜବାଲପୁରର ବାସିନ୍ଦା ସତ୍ୟପ୍ରକାଶ । ସତ୍ୟପ୍ରକାଶ ନିଜ ପତ୍ନୀଙ୍କ ସହ ମିଶି ଦୁନିଆର ସବୁଠାରୁ ବଡ ତାଲା ତିଆରି କରିଛନ୍ତି । ଯାହାର ଲମ୍ବ ୧୦ ଫୁଟ ଓ ଚଉଡା ୬ ଫୁଟ । ସେହପରି ଏହି ତାଲାର ଓଜନ ୪ କ୍ୱିଣ୍ଟାଲ । ଏହି ତାଲାକୁ ୩୦ କିଲୋ ଓଜନର ଚାବିରେ ଖୋଲାଯାଏ ଓ ବନ୍ଦ କରାଯାଏ । ଯାହାର ଲମ୍ବ ୪ ଫୁଟ । ଏହି ତାଲାକୁ ୧କୁ ତିଆରି କରିବା ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬ ମାସ ସମୟ ଲାଗିଥିଲା ।

ସତ୍ୟ ପ୍ରକାଶଙ୍କ କହିବାନୁସାରେ, ଅଯୋଦ୍ଧା ପଠେଇବା ପୂର୍ବରୁ ତାଲାରେ କିଛି ପରିବର୍ତ୍ତନ କରାଯିବ । ଯେମିତିକି ବକ୍ସ, ଲିବର ଓ ହୁଡକାକୁ ପିତଳରେ ତିଆରି କରାଯିବ । ତାଲାରେ ଷ୍ଟିଲର ସ୍କ୍ରିପ ସିଟ ଲଗାଯିବ ଯାହା ଫଳରେ ଏଥିରେ ଜଙ୍ଗ ଲାଗିବ ନାହିଁ । ଏଥିପାଇଁ ତାଙ୍କୁ ଆହୁରି ଟଙ୍କାର ଆବଶ୍ୟକ । ଯେଉଁଥିପାଇଁ ସେ ଲୋକଙ୍କୁ ସହାୟତା ମାଗିଛନ୍ତି । ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ପରେଡରେ ଏହି ତାଲାକୁ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ସତ୍ୟପ୍ରକାଶ । ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।