କନକ ବ୍ୟୁରୋ: ବାଜା ବାଜିଲା ହେଲେ ବାଜିଲାନି ଡିଜେ । ବାଣ ଫୁଟିଲାନି କିନ୍ତୁ ଲଗାଗଲା ବୃକ୍ଷ । ବିନା ବାଜା ବିନା ବାଣରେ ବି ହୋଇପାରେ ବାହାଘର, ପରିବେଶକୁ ପ୍ରଦୂଷିତ ନକରିବାର ଦୃଢ ସଙ୍କଳ୍ପ ହିଁ ଏମିତି ନିଆରା ଆଉ ଭିନ୍ନ ବିବାହର ସାକ୍ଷୀ ସାଜେ । ସେମିତି ଏକ ସବୁଜ ବାହାଘର ସାମ୍ନାକୁ ଆସିଛି ଯାଜପୁର ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ଅଞ୍ଚଳରୁ । ଯେଉଁଠି ବରକନ୍ୟା ନିଜ ବାହାଘରରେ ବୃକ୍ଷ ରୋପଣ କରି ନୂଆ ଜୀବନ ଆରମ୍ଭ କରିଛନ୍ତି ।

Advertisment

ଆଧୁନିକତାର ସ୍ପର୍ଶରେ ମଣିଷ ଏତେ ଆଗକୁ ପଳାଇଛି ଯେ ବାହାଘରକୁ ଯାକଜକମରେ ନକଲେ ହେଉନି । ଧୁମଧାମରେ ବାହାଘର ନହେଲେ ତାକୁ ବାହାଘର ବୋଲି ଧରା ବି ଯାଉନି । କିନ୍ତୁ ସେସବୁରୁ ଉପରକୁ ଉଠି ଏସ ସୁସ୍ଥ ଏବଂ ପ୍ରଦୂଷଣ ମୁକ୍ତ ସମାଜର ସଙ୍କଳ୍ପ ନେଇ ବିନା ବାଣରୋଷଣୀରେ ବରଯାତ୍ରୀ ନେଇ କନ୍ୟା ଘରକୁ ଯାଇଛନ୍ତି ସମାଜସେବୀ ନିର୍ମାଲ୍ୟ କୁମାର ପ୍ରଧାନ ।

ଢେଙ୍କାନାଳ ଦଶମାଣପାଟଣା ସ୍ଥିତ କାର୍ତ୍ତିକେଶ୍ୱର ବାଇଙ୍କ ଝିଅ ସୋନାଲି ବାଇଙ୍କ ସହ କଠଉଣୀ ମଠ ଠାରେ ବୈଦିକ ରୀତିନୀତିରେ ଏହି ନିଆରା ଶୁଭବିବାହ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ଦମ୍ପତି ବିବାହ ସମ୍ପନ୍ନ ପରେ ବୃକ୍ଷରୋପଣ କରିଥିଲେ । ଏହା ସହ ଶତାଧିକ ବୃକ୍ଷ ଦାନ ମଧ୍ୟ କରିଥିଲେ । ତେବେ ଖାଲି ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନୁହେଁ ବରଂ ସମାଜ ସଂସ୍କାର ପାଇଁ ଏହି ବିବାହରେ ବାର୍ତ୍ତା ଦିଆଯାଇଛି । କନ୍ୟାଭୃଣ ହତ୍ୟା ଏବଂ ଶିକ୍ଷାର ପ୍ରଚାର ପ୍ରସାର ନେଇ ପ୍ଲାକାର୍ଡ ଧରି ବରଯାତ୍ରୀ ଆସିଥିଲେ । ତେବେ ନିଆରା ବାହାଘରକୁ ନେଇ ସବୁଛି ଚର୍ଚ୍ଚା ହୋଇଥିବା ବେଳେ ଏଭଳି ଚିନ୍ତା, ଚେତନା, ଭାବନାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଆଧୁନିକତାର ସ୍ପର୍ଶରେ ବଦଳିଯାଉଛି ମାନବ ସଭ୍ୟତା । ଗଛ ବିହୁନେ ଏ ଜଗତ ତ୍ରାହି ତ୍ରାହି ଡାକୁଥିବା ବେଳେ ଗ୍ରୀଷ୍ମରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି ଏବଂ ବିଶ୍ୱତାପନ ଭଳି ସ୍ଥିତି ଉପୁଜୁଛି । ଆଉ ଏଭଳି ଏକ ସ୍ଥିତି ଏମିତି ସବୁଜ ବାହାଘର ପ୍ରଶଂସାଯୋଗ୍ୟ ନିଶ୍ଚୟ ।