ଆପଣ କପଲ ଚ୍ୟାଲେଞ୍ଜରେ ଫଟୋ ପୋଷ୍ଟ କରୁଛନ୍ତି କି ? ଜୀବନସାଥୀଙ୍କ ଫଟୋ ଛାଡୁଥିଲେ ହୋଇଯାଆନ୍ତୁ ସତର୍କ । ପରାମର୍ଶ ଦେଲା ପୋଲିସ ।

8,411

କନକ ବ୍ୟୁରୋ: ଟ୍ରେଣ୍ଡିଂ ହେଉଛି କପଲ ଚ୍ୟାଲେଞ୍ଜ । ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି କପଲ ଚ୍ୟାଲେଞ୍ଜ । ଖାସକରି ନୂଆ ବାହା ହୋଇଥିବା ଯୁବ ଦମ୍ପତି ଏହି ଚ୍ୟାଲେଞ୍ଜରେ ଭାଗ ନେଉଥିବା ବେଳେ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଜବରଦସ୍ତ କ୍ରେଜ । କେବଳ ଯୁବକ କାହିଁକି ବୟସ୍କ ଦମ୍ପତ୍ତି ମାନେ ଏହି ଚ୍ୟାଲେଞ୍ଜରେ ନିଜକୁ ସାମିଲ କରିବାରେ ପଛାଉ ନାହାନ୍ତି । କପଲ ଚ୍ୟାଲେଞ୍ଜ ହ୍ୟାସଟ୍ୟାଗ ସହ ନିଜ ଜୀବନସାଥୀଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ କକୁଛନ୍ତି । ଖାସ କରି ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଏହି ଚ୍ୟାଲେଞ୍ଜର ଲୋକପ୍ରିୟତା ଅଧିକ ଦେଖିବାକୁ ମିଳୁଛି । ତେବେ ଏହି ଚ୍ୟାଲେଞ୍ଜରେ ନିଜକୁ ସାମିଲ କରୁଥିଲେ ହୋଇଯାଆନ୍ତୁ ସାବଧାନ । ଚ୍ୟାଲେଞ୍ଜରେ ଭାଗ ନେଉଥିବା ୟୁଜର୍ସଙ୍କୁ ଫଟୋ ପୋଷ୍ଟ କରି ଯେତିକି ଫାଇଦା ନମିଳିବ ତାଠାରୁ ଶହେ ଗୁଣା କ୍ଷତି ସହିବାକୁ ପଡିପାରେ । କାରଣ ଏହି ଫଟୋକୁ ନେଇ କିଛି ୱେବସାଇଟ ଏହାର ଅପବ୍ୟବହାର କରିପାରନ୍ତି ।

ତେବେ ଗତ କିଛି ଦିନ ହେବ କେବଳ କପଲ ଚ୍ୟାଲେଞ୍ଜ ନୁହେଁ ବରଂ ଏହି ଚ୍ୟାଲେଞ୍ଜକୁ ମିମ କରି ଅନେକ ବ୍ୟାଚଲର ସିଙ୍ଗଲ ଚାଲେଞ୍ଜରେ ନିଜ ଫଟୋ ପକାଇ ମଜା ନେଉଛନ୍ତି । ଆଉ କିଏ କିଏ ନିଜ ମାଆବାପାଙ୍କ ସହ ଫଟୋ ଛାଡି ମଦର ଚ୍ୟଲେଞ୍ଜ, ଫାଦର ଚ୍ୟାଲେଞ୍ଜ ଓ ଡଟର ଚ୍ୟାଲେଞ୍ଜ ଆକସେପ୍ଟ କରୁଛନ୍ତି । ଏମିତିକି କିଛି ଲୋକ ସିନେମା ହିରୋଇନଙ୍କ ଫଟୋ ସହ ନିଜ ଫଟୋ ଯୋଡି ପୋଷ୍ଟ କରୁଥିବା ବେଳେ ଅନ୍ୟ କିଛି ଲୋକ ଗଛଲଗା ଚ୍ୟାଲେଞ୍ଜ, ଫାର୍ମର ଚ୍ୟାଲେଞ୍ଜ, ଆଇସକ୍ରିମ ଚ୍ୟାଲେଞ୍ଜରେ ଭାଗ ନେଉଛନ୍ତି । ହେଲେ ସାବଧାନ ! ଯେଉଁମାନେ ଏସବୁରେ ମାତିଛନ୍ତି ସେମାନେ ହୋଇଯାଆନ୍ତୁ ସତର୍କ । କାରଣ ଆପଣଙ୍କ ଏହି ଖୁସି ଆଗାମୀ ଦିନରେ ଦୁଃଖରେ ବଦଳି ନଯାଉ ବୋଲି ସତର୍କ କରାଇଛି ପୋଲିସ ।

ଥାନାରେ ଏହି ଚ୍ୟାଲେଞ୍ଜ ନେଇ ବାରମ୍ବାର ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଛି । ଆଉ ଚାଲେଞ୍ଜଠୁ ଦୂରରେ ରହିବାକୁ ପରାମର୍ଶ ଦେଇଛି । କାରଣ ଏହିସବୁ ଚାଲେଞ୍ଜରେ ଦିଆଯାଉଥିବା ଫଟୋର ଅନେକ ଦୂରୁପଯୋଗ ହେଉଛି । ନିଜ ସ୍ତ୍ରୀଙ୍କ ସହ କିମ୍ବା ପ୍ରେମିକା ସହ ଫୋଷ୍ଟ ହେଉଥିବା ଫଟୋକୁ ପର୍ଣ୍ଣୋଗ୍ରାଫୀ, ସାଇବର କ୍ରାଇମ କିମ୍ବା ବିଭିନ୍ନ ଅଶ୍ଳୀଳ ୱେବସାଇଟରେ କେହି ପକାଇ ପାରନ୍ତି ବୋଲି ଆଶଙ୍କ କରାଯାଉଛି । ଅଥବା ଆପଣଙ୍କ ଉପରେ କାହାର ଯଦି ରାଗ ଥିବ ତାହାଲେ ଉକ୍ତ ବ୍ୟକ୍ତି ଆପଣଙ୍କ ସ୍ୱାମୀସ୍ତ୍ରୀଙ୍କ ଫଟୋକୁ ଏଡିଟ୍ କରି ଅଶ୍ଲୀଳ ୱେବସାଇଟରେ ଛାଡି ଆପଣଙ୍କୁ ବଦନାମ କିପାରନ୍ତି ବୋଲି ପୁନେ ପୋଲିସ ସତର୍କ କରାଇଛି । ଖାଲି ପୁଣେ ପୋଲିସ ନୁହେଁ ଉତ୍ତର ପ୍ରଦେଶ ଆଗ୍ରା ପୋଲିସ ମଧ୍ୟ ଏହି ଚାଲେଞ୍ଜରୁ ନିବୃତ ରୁହନ୍ତୁ ବୋଲି ସତର୍କ କରିଛି ।

ତେବେ ସୋସିଆଲ ମିଡିଆରେ କେମିତି ରକ୍ଷା କରିବେ ଆପଣଙ୍କ ପ୍ରାଇଭେସି । ସାଇବର ଏକ୍ସପର୍ଟ ଦେଇଛନ୍ତି ଟିପ୍ସ । ସାଇବର କ୍ରାଇମରୁ ବର୍ତ୍ତିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ଅଜଣା ବ୍ୟକ୍ତିଙ୍କୁ ଅନଫ୍ରେଣ୍ଡ କରନ୍ତୁ । ପ୍ରୋଫାଇଲ ପିକଚରରେ ପ୍ରୋଫାଇଲ ଗାର୍ଡ ଲଗାନ୍ତୁ । ପ୍ରେଣ୍ଡଲିଷ୍ଟକୁ ଅନଲି ମ କରନ୍ତୁ । ଆଉ ଯଥା ସମ୍ଭବ ଏ ସବୁ ଚ୍ୟାଲେଞ୍ଜରୁ ଦୂରେଇ ରୁହନ୍ତୁ ବୋଲି ପୋଲିସ ଓ ସାଇବର ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି ।