ଚୀନ ହଟାଇଲା ‘ଶୂନ-କୋଭିଡ’ ନୀତି : ବିଦେଶୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ସଂଗରୋଧ ନିୟମ

108

କନକ ବ୍ୟୁରୋ : କରୋନା ପାଇଁ ପ୍ରାୟ ତିନି ବର୍ଷ ଧରି ଚୀନରେ ଲାଗୁ ହୋଇଥିବା ‘ଶୂନ-କୋଭିଡ’ ନୀତି ହଟାଇ ଦେଇଛି ଚୀନ୍ । ରବିବାରଠୁ ପ୍ରତିବନ୍ଧକ ହଟିବା ପରେ, ବିଦେଶୀ ଯାତ୍ରୀମାନେ ଏବେ ବିନା କୌଣସି କରୋନା ପରୀକ୍ଷାରେ ଚୀନ ଗସ୍ତରେ ଆସିପାରିବେ । ସେହପରି ଚୀନରେ ଭ୍ରମଣ କରିବା ଏବଂ ବାଣିଜ୍ୟ ପାଇଁ ବିମାନ ବନ୍ଦରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଖୋଲିଦିଆଯାଇଛି ।

ବେଜିଂ ଓ ହଂକଂ ବିମାନ ବନ୍ଦରକୁ ଯାତ୍ରୀଙ୍କ ବୁକିଂ ବଢୁଥିବା ଦେଖିବାକୁ ମିଳିଛି । ଚୀନ୍ ପରିବହନ ମନ୍ତ୍ରଣାଳୟ ଆକଳନ କରିଛି ଯେ ଆସନ୍ତା ୪୦ ଦିନ ମଧ୍ୟରେ ଅତି କମରେ ଦୁଇ ବିଲିୟନ ଲୋକ ଚୀନ ଗସ୍ତରେ ଆସିବେ । ଗୋଟିଏ ପଟେ ସାରା ବିଶ୍ୱରେ ଧୀରେ ଧୀରେ କରୋନା ସଂକ୍ରମଣ ବଢୁଛି । ଆଗାମୀ ଦିନରେ ଭାରତରେ ଚତୁର୍ଥ ଲହର ଆସିବ ବୋଲି ସମ୍ଭାବନା ରହିଛି । ଏପରି ସ୍ଥିତିରେ ଚୀନ୍ ବିଭିନ୍ନ ନିୟମ ହଟାଇଛି । ତେଣୁ ଏବେ ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।

ଚୀନର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରତିଦିନ ଏତେ ସଂଖ୍ୟକ ସଂକ୍ରମଣ ସାମ୍ନାକୁ ଆସୁଛି ଯେ ଡାକ୍ତରଖାନାଗୁଡ଼ିକରେ ଥିବା ବେଡ୍ ଅଭାବ ରହିଛି । କରୋନା କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ କୌଣସି ସଠିକ୍ ସୂଚନା ନାହିଁ କାରଣ ଚୀନ୍ ସଠିକ୍ ଆକଳନ କରୁନାହିଁ ।