ଆଗକୁ ଘୋର ବିଦ୍ୟୁତ୍ ସଙ୍କଟ । ପ୍ଲାଣ୍ଟରେ ମାତ୍ର ୪ ଦିନ ପାଇଁ କୋଇଲା ଷ୍ଟକ୍

353

କନକ ବ୍ୟୁରୋ: ଆଗକୁ ଦେଶରେ ଘୋର ବିଦ୍ୟୁତ୍ ସଙ୍କଟ ଦେଖାଦେଇପାରେ । ଏହି ସମସ୍ୟା ଏଭଳି ହେବ ଯେ ଚାଇନାର ବିଜୁଳି ସମସ୍ୟା ଠାରୁ ବି ବଳିଯାଇପାରେ ବୋଲି କୁହାଯାଉଛି । ଫଳରେ ଦେଶରେ ଶିଳ୍ପାନୁଷ୍ଠାନ ଗୁଡିକ କ୍ଷତି ସହିବେ ବୋଲି ଆକଳନ କରାଯାଉଛି । ଏସବୁର ମୁଖ୍ୟ କାରଣ ହେଉଛି ଦେଶରେ ରହିଥିବା ବିଦ୍ୟୁତ୍ ପ୍ଳାଣ୍ଟ ଗୁଡିକରେ କୋଇଲାର ଘୋର ଅଭାବ । ପରିସ୍ଥିତି ଏଭଳି ହୋଇଛି ଯେ, ଏସବୁ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ମାତ୍ର ୪ ଦିନ ପାଇଁ କୋଇଲା ଷ୍ଟକ୍ ରହିଛି । ଏହି ଷ୍ଟକ ଶେଷ ହେବା ପରେ ଦେଶରେ ବିଦ୍ୟୁତ ଉତ୍ପାଦନ ବ୍ୟାହତ ହେବ । ଯାହାର ପରିଣାମ ଭାବେ ଦଶରେ ଆଗକୁ ଘୋର ବିଦ୍ୟୁତ୍ ସଙ୍କଟ ଦେଖାଦେବ ବୋଲି କୁହାଯାଉଛି । କାରଣ ବର୍ଷା ଯୋଗୁଁ ଖଣି ଓ ପରିବହନ ମାର୍ଗରେ ପାଣି ଜମି ରହିଛି । ତେଣୁ କୋଇଲା ଉତ୍ପାଦନ ହୋଇନପାରିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

 

ଦେଶରେ ପ୍ରାୟ ୭୦ ପ୍ରତିଶତ ବିଦ୍ୟୁତ କୋଇଲାରୁ ଉତ୍ପାଦନ ହୋଇଥାଏ । ତେଣୁ କୋଇଲା ଯୋଗାଣ ଜନିତ ସମସ୍ୟା ଯୋଗୁଁ ବିଦ୍ୟୁତ୍ ସଙ୍କଟ ଦେବା ନିଶ୍ଚିତ । ବିଶେଷଜ୍ଞଙ୍କ କହିବା ଅନୁସାରେ , କୋଇଲା ଅଭାବ ହେତୁ ବିଶ୍ୱର ଏହି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କିଛି ଦିନ ପାଇଁ କ୍ଷତି ସହିବେ । ଭାରତର ଅଧାରୁ ଅଧିକ ବିଦ୍ୟୁତ୍ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ସରକାରୀ ସୂଚନା ମୁତାବକ, ସେପ୍ଟେମ୍ବର ଶେଷ ସୁଦ୍ଧା ସାରା ଦେଶର ବିଦ୍ୟୁତ୍ ପା୍ଲଣ୍ଟ ଗୁଡିକରେ ମାତ୍ର ୧୩ ଦିନ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଷ୍ଟକ ରହିଥିଲା । କୋଇଲା ଅଭାବକୁ ଦୃଷ୍ଟିରେ ରଖି ଆଲୁମିୟମ୍ ସମେତ ଇସ୍ପାତ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଯୋଗାଣ କମ୍ କରିଦେଇଛନ୍ତି । ଏଭଳି ସ୍ଥିତିରେ ଭାରତ ଚୀନ ପରି ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

 

ସରକାରୀ ଆକଳନ ଅନୁସାରେ, ସେପ୍ଟେମ୍ବର ଶେଷ ଭାଗରେ ବିଦ୍ୟୁତ୍ ପ୍ଲାଣ୍ଟରେ କୋଇଲା ଷ୍ଟକ୍ ୮୧ ନିୟୁତ ଟନରେ ପହଞ୍ଚିଛି । ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୭୬ ପ୍ରତିଶତ କମ୍ ଥିଲା । ସେହିଭଳି ଭାରତୀୟ ଏନର୍ଜୀ ଏକ୍ସଚେଂଜରେ ହାରାହାରି ବିଦ୍ୟୁତ୍ ମୂଲ୍ୟ ୟୁନିଟ ପିଛା ୪.୪ ଟଙ୍କାକୁ ବୃଦ୍ଧି ପାଇଛି , ଯାହା ବର୍ଷକ ପୂର୍ବରୁ ୬୩ ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ କୋଇଲାର ଏପରି ସମସ୍ୟା ଦୂର ହେବାକୁ ଅଧିକ ଦିନ ସମୟ ଲାଗିପାରେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।