ପାଣିଠାରୁ ଶସ୍ତା ପେଟ୍ରୋଲ । ଜାଣନ୍ତୁ, କେଉଁ ଦେଶରେ ମିଳୁଛି ଏତେ କମ୍ ଦାମରେ ପେଟ୍ରୋଲ…

155

କନକ ବ୍ୟୁରୋ: ପ୍ରତିଦିନ ବଢୁଛି ତୈଳ ଦର । ବର୍ଦ୍ଧିତ ତୈଳ ଦର ପ୍ରତି ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦରରେ ନେଉଥିବା ଟିକସରେ କାଣ୍ଟଛାଣ୍ଟ କରିବା ପାଇଁ ଦାବି ହେଉଛି । କିନ୍ତୁ ବିଶ୍ୱରେ ଏମିତି କିଛି ଦେଶ ଅଛି ଯେଉଁଠି ପାଣିଠାରୁ ବି ଶସ୍ତା ପେଟ୍ରୋଲ, ଡିଜେଲ ।

ତୈଳ ଦର କମ ଥିବା ବିଶ୍ୱର ୫ଟି ରାଷ୍ଟ୍ର ଉପରେ ନଜର ପକାନ୍ତୁ…

ବିଶ୍ୱରେ ସବୁଠାରୁ ଶସ୍ତାରେ ତୈଳ ମିଳେ, ଦକ୍ଷିଣ ଆମେରିକୀୟ ଦେଶ ଭାନିଜୁଏଲାରେ । ଏଠାରେ ପେଟ୍ରୋଲ ଲିଟର ପିଛା ଦର ୦.୦୨ ଡଲାର ଅର୍ଥାତ ୧ ଟଙ୍କା ୫୦ପଇସା । ମାଚିସ ଡବା ଠାରୁ ମଧ୍ୟ ଶସ୍ତା ପେଟ୍ରୋଲ । ଯଦି ଆପଣ ଭାନିଜୁଏଲାରେ ଅଛନ୍ତି ତେବେ ୫୦ ଟଙ୍କାରେ ୩୦ ଲିଟର ତୈଳ କିଣିପାରିବେ । ଏଠାରେ ବିଶ୍ୱର ସବୁଠାରୁ ବଡ ତେଳ ଭଣ୍ଡାର ରହିଛି । ଏହି ରାଷ୍ଟ୍ର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ ମଧ୍ୟ ତୈଳ ଉପରେ ଲୋକଙ୍କୁ ସବସିଡି ମିଳେ ।

ଭାନିଜୁଏଲା ପରେ ଇରାନରେ ସବୁଠୁ କମ ଦରରେ ମିଳେ ତୈଳ । ଏଠାରେ ପେଟ୍ରୋଲ ଲିଟର ପିଛା ଦର ୦.୦୬ ଡଲାର ଅର୍ଥାତ ୪ ଟଙ୍କା ୫୧ ପଇସା । ଏଠାରେ ୩୫ ଲିଟରରେ ଗାଡିର ତେଲ ଟାଙ୍କି ଭର୍ତି କରିବାକୁ ଆପଣଙ୍କୁ ଦେବାକୁ ପଡିବ ମାତ୍ର ୧୫୭ ଟଙ୍କା ୮୫ପଇସା । ଦିଲ୍ଲୀରେ ଏତିକି ଟଙ୍କାରେ ଦେଢ ଲିଟର ତୈଳ ମଧ୍ୟ ମିଳିବ ନାହିଁ । ଇରାନ ନିକଟରେ ବିଶ୍ୱର ଚତୁର୍ଥ ବୃହତ ତୈଳ ଭଣ୍ଡାର ରହିଛି ।

ଗୃହଯୁଦ୍ଧ ସହ ଲଢୁଥିବା ପଶ୍ଚିମ ଏସିଆର ଦେଶ ସିରିୟାରେ ପେଟ୍ରୋଲ ଦର ୦.୨୩ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧୭ଟଙ୍କା । ଏଠାରେ ୫୯୫ ଟଙ୍କାରେ ୩୫ ଲିଟର ତୈଳ ମିଳିବ । ଏଠାରେ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ତୈଳ ଦାମ ବଢାଇଛନ୍ତି ଫଳରେ ଦର ୧୭ଟଙ୍କାରେ ପହଂଚିଛି ।

ଆଫ୍ରିକୀୟ ଦେଶ ଅଙ୍ଗୋଲାରେ ପେଟ୍ରୋଲ ଦର ୨୦ ଟଙ୍କା ରହିଛି । ସୂଚନା ଅନୁସାରେ ଅଙ୍ଗୋଲାରେ ଅଶୋଧିତ ତୈଳର ଭଣ୍ଡାର ରହିଛି । ଯେଉଁଠି ପ୍ରାୟ ୭.୮ ଅରବ ବ୍ୟାରେଲ ଅଶୋଧିତ ତୈଳ ରହିଛି । ଏହା ବିଶ୍ୱର ୧୮ତମ ବୃହତ ତୈଳ ଭଣ୍ଡାର । ଆଉ ଏକ ଆଫ୍ରିକୀୟ ଦେଶ ଅଲଜିରିୟାରେ ପେଟ୍ରୋଲ ଦର ୨୫ଟଙ୍କା ୧୧ପଇସା । ଦେଶରେ ୧୨.୨ଅରବ ବ୍ୟାରେଲର ତୈଳ ଭଣ୍ଡାର ରହିଛି । ଅଲଜିରିୟାରେ ପ୍ରତିଦିନ ୧୧ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ ହୁଏ । ଏହା ବାଦ୍ କୁୱେତ, ନାଇଜିରିଆ, ତୁର୍କମେନିସ୍ଥାନ, କଜାକସ୍ଥାନ ଓ ଇଥୋଓପିଆରେ ମଧ୍ୟ ତୈଳ ଦର ଲିଟର ପିଛା ଅଧା ଡଲାରରୁ କମ ।