ଜାତିସଂଘରେ ମୋଦିଙ୍କ ଅଭିଭାଷଣ । ନାଁ ନନେଇ ପାକିସ୍ତାନ ଉପରେ ବର୍ଷିଲେ, ଆତଙ୍କବାଦୀଙ୍କୁ ଅସ୍ତ୍ର ଭଳି ବ୍ୟବହାର କରାନଯାଉ ।

110

କନକ ବ୍ୟୁରୋ : ଜାତିସଂଘ ମହାସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । ଆତଙ୍କବାଦ ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ମୋଦି । ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରିବା ସହ ମୋଦି କହିଛନ୍ତି, ବିଶ୍ୱରେ ଚରମପନ୍ଥୀଙ୍କ ସଂଖ୍ୟା ବଢୁଛି । ଆଫଗାନିସ୍ତାନରେ କଣ ସ୍ଥିତି ଅଛି ତାହା ପୂରା ବିଶ୍ୱ ଦେଖୁଛି । ଆତଙ୍କବାଦୀଙ୍କୁ ରାଜନୈତିକ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି । ତେଣୁ ଯେଉଁମାନେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ବି ବଡ ବିପଦ ରହିଛି । ତେଣୁ ଆତଙ୍କବାଦକୁ ଅସ୍ତ୍ର ଭଳି ବ୍ୟବହାର କରାନଯାଉ ।

ଆତଙ୍କବାଦ କାର୍ଯ୍ୟକଳାପ ବଢାଇବାକୁ ଓ ଆତଙ୍କବାଦୀଙ୍କୁ ପ୍ରଶୟ ଦେବାକୁ ଆଫଗାନିସ୍ତାନକୁ ବ୍ୟବହାର କରାନଯାଉ । ଏହା ପୂରା ବିଶ୍ୱକୁ ସୁନିଶ୍ଚିତ କରିବାକୁ ପଡିବ । କାରଣ ଆତଙ୍କବାଦ ପୂରା ବିଶ୍ୱ ପାଇଁ ବିପଦ । ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କୁ ଯେପରି ନ୍ୟାୟ ମିଳିବ ତାହାର ଦାୟିତ୍ୱ ପୂରା ବିଶ୍ୱକୁ ନେବାକୁ ପଡିବ । ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଆବଶ୍ୟକ । ଅନ୍ତର୍ଜାତୀୟ ସମୁଦାୟକୁ ଏଥିପାଇଁ ସ୍ୱର ଉଠାଇବାକୁ ପଡିବ । ଏହାଛଡା ସମୁଦ୍ରସୀମାର ଦୁରୁପଯୋଗ ହେବା ଉଚିତ ନୁହେଁ ବୋଲି କହିଛନ୍ତି ମୋଦି । ଏଭଳି କରି ଚୀନକୁ ଟାର୍ଗେଟ କରିଛନ୍ତି ମୋଦି । ସମୁଦ୍ରପଥର ବ୍ୟବହାର ବାଣିଜ୍ୟିକ କାରବାର ପାଇଁ କରାଯାଉ, ଏକଚାଟିଆ ଆଧିପତ୍ୟ ବିସ୍ତାର ପାଇଁ ନୁହେଁ ।