କନକ ବ୍ୟୁରୋ : ଶିକ୍ଷା ଏଭଳି ଏକ ଜିନିଷ ଯାହା ମଣିଷକୁ ଅନ୍ଧାରରୁ ଆଲୋକକୁ ରାସ୍ତା ଦେଖାଏ । ଶିକ୍ଷା ପ୍ରତିଟି ମଣିଷ ପାଇଁ ନିହାତି ଆବଶ୍ୟକ । ପ୍ରତିଟି ଅବିଭାବକ ସେମାନଙ୍କ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ପ୍ରତି ଅବିଭାବକ ଚେଷ୍ଟା କରନ୍ତି ଯେ ସେମାନଙ୍କ ପିଲାଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାକୁ । ୧୦ମ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟବର୍ଗର ଲୋକମାନେ କୌଣସି ପ୍ରକାର ସେମାନଙ୍କ ପିଲାଙ୍କୁ ପାଠ ପଢାଇବାରେ ସମର୍ଥ ହୋଇଥାନ୍ତି । ହେଲେ ସେମାନଙ୍କ ପିଲା ଯେତେବେଳେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହୋଇଥାଏ ସେତେବେଳେ ଅବିଭାବକଙ୍କର ଚିନ୍ତା ପଡିଯାଏ । କିଛି ଅବିଭାବକ ମହଙ୍ଗା ଶିକ୍ଷା ଦେଇ ନପାରି ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରିଥାନ୍ତି । ଏହି ମହଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକଥର ଭାରତରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ହେଲେ ଆପଣ ଜାଣିଛନ୍ତି କି ବିଶ୍ୱରେ ଏଭଳି କିଛି ଦେଶ ରହିଛି ଯେଉଁଠି ସରକାର ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା ଉପଲବ୍ଧ କରାଉଛନ୍ତି । ତେବେ ଆସନ୍ତୁ ଜାଣିବା ବିଶ୍ୱରେ ମାଗଣା ଶିକ୍ଷା ଦେଉଥିବା ଦେଶମାନଙ୍କ ବାବଦରେ ।

Advertisment

ସ୍ୱିଡେନ : ସ୍ୱିଡେନରେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ମାଗଣା । ହେଲେ ଏହି ସୁବିଦା କେବଳ ୟୁରୋପୀୟ ୟୁନିୟନ ବା ୟୁରୋପୀୟ ଇକୋନୋମୀ ଏରିଆ ଓ ସ୍ୱିଡେନର ସ୍ଥାୟୀ ବାସିନ୍ଦାଙ୍କୁ ମିଳିଥାଏ । ଅନ୍ୟଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ କେବଳ ଟ୍ୟୁସନ ଫି ମାଗଣା ହୋଇଥାଏ । ଅନ୍ୟପଟେ ସ୍ୱିଡେନ ନାଗରିକ ହୁଅନ୍ତୁ ବା ଅନ୍ୟଦେଶର ନାଗରିକ ଏଠାରେ ପିଏଚଡି କରିବା ସମସ୍ତଙ୍କ ପାଇଁ ମାଗଣା ।

ଜର୍ମାନୀ : ଜର୍ମାନୀରେ ସମସ୍ତ ପ୍ରକାର ଶିକ୍ଷା ମାଗଣା ମିଳିଥାଏ । ଏଠାରେ କେବଳ ଜର୍ମାନୀ ନାଗରିକଙ୍କ ପାଇଁ ନୁହେଁ ବରଂ ଅନ୍ୟ ଦେଶରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି ମାଗଣା ଶିକ୍ଷା ସୁବିଧା ଉପଲବ୍ଧ । ଏକ ରିପୋର୍ଟ ମୁତାବକ ଜର୍ମାନୀରେ ୩୦୦ରୁ ଅଧିକ ସରକାରୀ ବିଶ୍ୱବିଦ୍ୟାଳୟ ରହିଛି ।

ଅଷ୍ଟ୍ରିଆ ; ଜର୍ମାନୀ ଭଳି ଅଷ୍ଟ୍ରିି୍ରଆରେ ମଧ୍ୟ ସମସ୍ତ ଶ୍ରେଣୀର ଶିକ୍ଷା ମାଗଣା ମିଳିଥାଏ । ହେଲେ ଉଚ୍ଚଶିକ୍ଷା ପରେ ଆଗକୁ ପଢିବାକୁ ହେଲେ ପ୍ରତି ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପ୍ରତି ୩୦୦ ୟୁରୋ ଦେବାକୁ ପଡିଥାଏ ।

ନରୱେ : ମାଗଣା ଶିକ୍ଷା ବ୍ୟବସ୍ଥା ପାଇଁ ନରୱେ ସବୁବେଳେ ଚର୍ଚ୍ଚାରେ ରହିଛି । ଏଠାରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ବାହାର ଦେଶରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣାରେ ଶିକ୍ଷା ଉପଲବ୍ଧ କରାଯାଏ । ଗଣମାଧ୍ୟମର ରିପୋର୍ଟ ମୁତାବକ ଏଠାରେ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ ଓ ଡକ୍ଟରେଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଠାରୁ କୌଣସି ଫି ନିଆଯାଏ ନାହିଁ । ବିଦେଶରୁ ଆସୁଥିବା କିଛି ଛାତ୍ରଛାତ୍ରୀଙ୍କ ଠାରୁ ନିର୍ଦ୍ଦିଷ୍ଟ କିଛି କୋର୍ସ ପାଇଁ ସେମିଷ୍ଟର ପ୍ରତି ୩୦ ରୁ ୬୦ ୟୁରୋ ପର୍ଯ୍ୟନ୍ତ ଫି ନିଆଯାଇଥାଏ । ଯାହାକି ଷ୍ଟୁଡେଣ୍ଟ ୟୁନିୟନ କାମରେ ଲାଗିଥାଏ ।

ସ୍ପେନ : ମାଗଣା ଶିକ୍ଷା ପାଇଁ ସ୍ପେନ ବି ବେଶ୍ ପରିଚିତ । ଏଠାରେ ସ୍ପେନ ସମେତ ବାହାର ଦେଶରୁ ଆସୁଥିବା ପିଲାଙ୍କ ପାଇଁ ମାଗଣା ଶିକ୍ଷା ଦିଆଯାଉଥିବା ବେଳେ ଟ୍ୟୁସନ ବାବଦରେ ମାତ୍ର ୨୦ ପ୍ରତିଶତ ଅର୍ଥ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡିଥାଏ ।

ଇଟାଲୀ : ଏଠାରେ କିଛି କୋର୍ସ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଫି ଦେବାକୁ ପଡୁଥିବା ବେଳେ ଅଧିକାଂଶ କୋର୍ସ ମାଗଣାରେ ମିଳିଥାଏ । ଏହା କେବଳ ଇଟାଲୀ ଛାତ୍ରଛାତ୍ରୀଙ୍କ ପାଇଁ ନୁହେ ବରଂ ବିଦେଶରୁ ଇଟାଲୀ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ।

ଫିନଲାଣ୍ଡ : ଫିନଲାଣ୍ଡ କେବଳ ପର୍ଯ୍ୟଟନସ୍ଥଳୀ ପାଇଁ ନୁହେଁ ବରଂ ମାଗଣା ଶିକ୍ଷା ବ୍ୟବସ୍ଥା ପାଇଁ ପରିଚିତ । ଏଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା ରହିଛି । ଏହାସହ ପିଏଚଡି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫି ଦେବାକୁ ପଡୁନଥିବା ବେଳେ ସରକାର ଛାତ୍ରଛାତ୍ରୀଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥାନ୍ତି ।

ଫ୍ରାନ୍ସ : ଏଠାରେ ସରକାର ସରକାରୀ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଉପଲବ୍ଧ କରାଇଥାନ୍ତି । ହେଲେ ବିଦେଶୀ ଛାତ୍ର ଛାତ୍ରୀଙ୍କ ଠାରୁ କୋର୍ସ ଫି ଆଦାୟ କରାଯାଏ । ତଥାପି ସେମାନଙ୍କ ଠାରୁ ନାମକୁ ମାତ୍ର କିଛି ଫି ଆଦାୟ କରାଯାଏ ।