ଆଜି ପିପିଲି ପାଇବ ନୂଆ ବିଧାୟକ : ଆରମ୍ଭ ହେଲା ଭୋଟଗଣତି, କିଏ ମାରିବ ବାଜି?

130

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ । ସକାଳ ୮ରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହେବ । ଏହି ଫଳାଫଳରୁ ରାଜ୍ୟ ରାଜନୀତି ନେଇ ଆସିବ ବଡ଼ ସଙ୍କେତ । ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏହା ସାଜିଛି ଏସିଡ଼ ଟେଷ୍ଟ । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ତେବେ ପିପିଲି ଉପ-ନିର୍ବାଚନ ୩ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଯେହେତୁ ଏହା ବିଜେଡିର ଗଡ ରହିଆସିଛି, ତେଣୁ ବିଜେଡି ଏଠାରେ ବିଜୟ ଆଶା କରିବା ସ୍ୱାଭାବିକ । ଫଳାଫଳ ବିଜେଡି ସପକ୍ଷରେ ଗଲେ ନବୀନଙ୍କ ଭାବମୂର୍ତ୍ତି ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଲାଭ ବିଜେଡିକୁ ମିଳିଲା ବୋଲି ବାର୍ତ୍ତା ଯିବ । ତେବେ ଏଠାରେ ବଡ ବ୍ୟବଧାନରେ ବିଜେଡି ଜିତିବାକୁ ଚାହିଁବ, ନଚେତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ସେହିଭଳି ଯଦି ବିଜେପି ଜିତେ ତେବେ ବିଜେଡିର ଗଡ ଭାଙ୍ଗିବା ସହ ପିପିଲି ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ପାଇଁ ଏହା ବୁଷ୍ଟର ଭଳି କାମ କରିବ । ଯଦି ୨୦୧୯ ତୁଳନାରେ ବିଜେପିକୁ ଏଠାରେ କମ ଭୋଟ ମିଳେ ତେବେ ଦଳ କେବଳ ଉପ-ନିର୍ବାଚନରେ ପରାଜିତ ହେବାର ଧାରା ବଜାୟ ରଖିବ ତାହା ନୁହେଁ ଶୀର୍ଷ ନେତୃତ୍ୱ ଓ ନିର୍ବାଚନ ପରିଚାଳନା ଉପରେ ପ୍ରଶ୍ନ ଉଠିବ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ପୂର୍ବରୁ ଏକପ୍ରକାର ପରାଜୟ ସ୍ୱୀକାର କରିଥିବା ବେଳେ ଦଳ କେଉଁ ସ୍ଥାନରେ ରହିବ ତାହା ଉପରେ ଦଳର ଆଗାମୀ ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ ବୋଲି କୁହାଯାଉଛି । ଛୋଟ ନିର୍ବାଚନ କିନ୍ତୁ ଏହାର ପ୍ରଭାବ ବଡ ରହିଛି । ପିପିଲି ନିର୍ବାଚନର ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବଡ ବାର୍ତ୍ତା ଦେବ ।