ଖୋଲିଲା ଇଭିଏମରୁ ସିଲ୍, ଆରମ୍ଭ ହେଲା ଭୋଟ ଗଣତି । ୫୪୨ ଲୋକସଭା ଆସନ ପାଇଁ ୮୦୪୦ ଜଣ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

180

କନକ ବ୍ୟୁରୋ: ଖୋଲିଲା ଭାନୁମତି ପେଡି । ଆରମ୍ଭ ହେଲା ଭୋଟ୍ ଗଣତି । କଡା ସୁରକ୍ଷା ବଳୟ ଭିତରେ ମତ ଗଣନା କେନ୍ଦ୍ରକୁ ଇଭିଏମ ଓ ଭିଭିପାଟକୁ ଅଣାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ତେବେ ପୂର୍ବନିର୍ଧାରିତ ସମୟ ଅନୁସାରେ ତଥା ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗଣତି ପ୍ରକ୍ରିୟା । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଉଛି । ଏହାର ଅଧଘଂଟା ପରେ ଇଭିଏମ କଂଟ୍ରୋଲ ୟୁନିଟ ଗଣାହେବ । ଭିଭିପାଟ ମେସିନର ଚିରକୁଟ ସହ ଇଭିଏମ କଂଟ୍ରୋଲ ୟୁନିଟକୁ ମେଳ କରାଯିବ । ନିୟମ ଅନୁସାରେ, ପ୍ରତି ନିର୍ବାଚନମଣ୍ଡଳୀର ବୁଥୱାରି ଭୋଟ୍ ଗଣାହେବ । ପ୍ରଥମ ରାଉଣ୍ଡର ଫଳାଫଳ ଅନ୍ୟୁନ ୪୫ ମିନିଟ୍ରୁ ୧ ଘଂଟା ପରେ ମିଳିବ । ତେବେ ଓଡିଶାର ୨୧ ଟି ଲୋକସଭା ଆସନ ସମେତ ୧୪୬ଟି ବିଧାନସଭା ଆସନର ହେଉଛି ଭୋଟଗଣତି ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟଗଣତି ହେଉଛି ଆଉ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ମୋଟ ୬ ହଜାର ୭ ଶହ କର୍ମଚାରୀ । ପ୍ରତି ହଲରେ ଅନ୍ୟୁନ ୭ଟି ଟେବୁଲ ବିଧାନସଭା ପାଇଁ ଏବଂ ୭ଟି ଟେବୁଲ ଲୋକସଭା ଇଭିଏମ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ତେବେ ପ୍ରତି ଟେବୁଲରେ ଜଣେ କାଉଂଟିଂ ସୁପରଭାଇଜର, ଜଣେ କାଉଂଟିଂ ସହାୟକ ଏବଂ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି ।

ସେହିପରି ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଟି ଲେଖାଁଏ ବୁଥର ଭିଭିପାଟ ସ୍ଲିପ୍ ଗଣାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଭୋଟଗଣତି କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଏଥିସହ ସଂପୂର୍ଣ୍ଣ ଗଣତି ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବା ସହ ଗଣତି ହଲକୁ କେହି ମୋବାଇଲ ନେଇପାରିବେ ନାହିଁ । ଅଜଣା ଲୋକ ପ୍ରବେଶ କରିପାରିବେ ନାହିଁ । ଭୋଟ ଗଣତି ପାଇଁ କେନ୍ଦ୍ର ଗୁଡିକୁ କଡା ସୁରକ୍ଷା ବଳୟ ଭିତରେ ରଖା ଯାଇଛି ।