କନକ ବ୍ୟୁରୋ: ଆଜି ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ । ଏବେଯାଏଁ ମିଳିଥିବା ସୂଚନା ମୁତାବକ, ବିଜେପି ଆଗୁଆ ରହିଥିବାବେଳେ , ବିଜେପି ଓ କଂଗ୍ରେସ ପଛରେ ପଡିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆଉ କହିଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ କଥା ।
ଭୋଟ ଗଣତିର ଦ୍ୱିତୀୟ ଦିନରେ ମଧ୍ୟ ଟ୍ରେଣ୍ଡ୍ ବିଜେଡି ପକ୍ଷରେ ଚାଲିଛି । ଅନେକ ପଛରେ ପଡିଛି ବିଜେପି । ଏନେଇ ପଚରାଯିବାରୁ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ଜନାଦେଶକୁ ଆମେ ସମ୍ମାନ କରୁଛୁ, ଯେଉଁଥିରେ ଟ୍ରେଣ୍ଡ ବିଜେଡି ସପକ୍ଷରେ ଯାଉଛି । ଯଦିଓ ଆମର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ ହେଲେ ସାରା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏହା ଗଣତନ୍ତ୍ରର ଉପହାସ କରିବା ଭଳି ଲାଗୁଛି । ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ନିଜ କ୍ଷମତାର ଅପବ୍ୟବହାର କରିଛି । ଯାହାର ଫଳାଫଳ ସମସ୍ତଙ୍କ ଆଗରେ । ବାସ୍ତବରେ ଏହା ଜନାଦେଶ ନୁହେଁ ଧନାଦେଶ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।
ଚଳିତ ପଞ୍ଚାୟତ ନିର୍ବାଚନରେ ଦଳର କିଛି ତ୍ରୁଟି ବିଚ୍ୟୁତି ଯୋଗୁଁ ଏପରି ଖରାପ ପ୍ରଦର୍ଶନ ହୋଇଥିବା ସେ କହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିଲା । ସେଥିପାଇଁ ଦଳ ପଞ୍ଚାୟତ ନିର୍ବାଚନ ଉପରେ ଗୁରୁତ୍ୱ ଦେଇପାରିଲାନି । ଏହାଛଡା ଗତଥର ଜିତିଥିବା ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ପଞ୍ଚାୟତ ସ୍ତରରେ କାମ କରିବାକୁ ସୁଯୋଗ ଦିଆଗଲାନି । ଯାହାଫଳରେ ବିଜେପିର ପ୍ରଦର୍ଶନ ସେତେଟା ଭଲ ହୋଇପାରିଲାନି । ଆଗକ୍ୁ ଏସବୁ ତ୍ରୁଟିକୁ ଦଳ ନିଶ୍ଚୟ ସୁଧାରିବ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।
ପଞ୍ଚାୟତ ନିର୍ବାଚନ ବିଜେପିର ଭବିଷ୍ୟତ ନିର୍ଣ୍ଣାୟକ ନୁହେଁ । ପଞ୍ଚାୟତ ନିର୍ବାଚନରେ ପରାଜୟର ଅର୍ଥ ନୁହେଁ ମୋଦୀଙ୍କ କ୍ରେଜ୍ କମିଗଲା । କୌଣସି ରାଜ୍ୟର ପଞ୍ଚାୟତ ନିର୍ବାଚନରେ ମୋଦୀ ମୁଣ୍ଡ ଖେଳାନ୍ତି ନାହିଁ । ବିଜେଡି ସହ ଲଢେଇ ପାଇଁ ଦିଲ୍ଲୀରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ବିଜେଡି ଆମର ରାଜନୈତିକ ଶତ୍ରୁ । ତେଣୁ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଆଗାମୀ ଦିନରେ ବିଜେପି ସବୁ ପ୍ରକାର ଚେଷ୍ଟା କରିବ । ସତ୍ୟର ପ୍ରଚାର କରି ଆମେ ବିଜେଡିକୁ ଧରାଶାୟୀ କରିବୁ ବୋଲି ସାଂସଦ ପ୍ରତାପ ଷଢଙ୍ଗୀ କହିଛନ୍ତି ।
ଏହାପରେ ବିଜେପିର ଗୁଣଗାନ କରିଥିଲେ ସାଂସଦ । ବିଜେପି ଏପରି ଏକ ଦଳ ଯେଉଁଥିରେ ଅତି ଗରିବିରୁ ଆସିଥିବା ବ୍ୟକ୍ତିଙ୍କୁ ସୁଯୋଗ ଦିଆଯାଏ । ଅତି ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ହିଁ ଆଜି ଦେଶର ପ୍ରଧନେମନ୍ତ୍ରୀ ଓ ରାଷ୍ଟ୍ରପତି । ଏପରି ଏକ ଦଳର ଅଂଶ ବୋଲି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।