ଇଭିଏମ୍ ଖୋଲିବ, ଜନତାଙ୍କ ରାୟ ସାମ୍ନାକୁ ଆସିବ । କିଏ ସାଜିବ ବାଲେଶ୍ୱରର ବାଜିଗର, ତିର୍ତ୍ତୋଲର ତାଜ୍ ପିନ୍ଧିବ କିଏ? ଉପ-ନିର୍ବାଚନର ଫଳାଫଳ ଦେବ ବଡ ସଂକେତ ।

143

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ  ଜନତାଙ୍କ ନିଷ୍ପତ୍ତି କାଲି ସାମ୍ନାକୁ ଆସିବ । କିଏ ଜିତିବ, କିଏ ହାରିବ, ତା’ର ଫୈସଲା ହେବ । ସରକାର କେମିତି କୋଭିଡ ପରିଚାଳନା କରିଛନ୍ତି, ଏଥିରେ ଲୋକ ଖୁସି ଅଛନ୍ତି କି ନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅତୁଟ ଅଛି କି ନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ଏଠାରେ ପ୍ରଭାବ ଅଛି କି ନାହିଁ, ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିବ । ଏପଟେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି କହିଛନ୍ତି, ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ଭୋଟର ଗଣତି କରାଯିବ, ଏବଂ ଏହାପରେ ଇଭିଏମ ଭୋଟ ଗଣତି କରାଯିବ । କୋଭିଡ ନିୟମକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି ।

ନିର୍ବାଚନର ପରିଣାମକୁ ନେଇ ଜନତାଙ୍କ ଭିତରେ ଯେଉଁ ଉତ୍ସାହ ରହିଛି, ତାଠୁ ଅଧିକ ଉତ୍କଣ୍ଠା ରହିଛି ରାଜନୈତିକ ଦଳର ନେତାଙ୍କ ଭିତରେ । କାରଣ, କୋଭିଡ୍ କାଳରେ ଯେଉଁ ୨ଟି ବିଧାନସଭା ଆସନରେ ନିର୍ବାଚନ ହୋଇଛି, ତାର ଫଳାଫଳ ଜନତାଙ୍କ ମୁଡ୍ ପରଖିବା ପାଇଁ ହୁଏତ, ସଠିକ୍ ମାପଦଣ୍ଡ । ନବୀନଙ୍କ ଲୋକପ୍ରିୟତା, କୋଭିଡ୍ ପରିଚାଳନା, ଲକଡାଉନ୍ ଓ ସଟଡାଉନ୍, ଦଳୀୟ ସଂଗଠନର ସ୍ଥିତି । ଏହି ପ୍ରମୁଖ ବିନ୍ଦୁ ଉପରେ ଆସିପାରେ ଜନତାଙ୍କ ରାୟ । କୋଭିଡ୍ ପରିଚାଳନାରେ ସରକାର ସଫଳ ନା’ ବିଫଳ? ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢ଼ିଛି ନା’ କମିଛି? ତାଲା ବନ୍ଦକୁ କିଭଳି ଗ୍ରହଣ କରିଛନ୍ତି ଜନତା? ଆଉ ଏହାରି ଭିତରେ ବିଜେଡି ସଂଗଠନର ସ୍ଥିତି କ’ଣ? ହୁଏତ ଏହି ନିର୍ବାଚନର ଫଳାଫଳ ପ୍ରମାଣ ଦେବାକୁ ଯାଉଛି ।

ବିଜେଡି ଭଳି ବିଜେପି ପାଇଁ ମଧ୍ୟ ସାମନ ଢ଼ଙ୍ଗରେ କିଛି ବାର୍ତା ଆଣିପାରେ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନ ଫଳାଫଳ ।ମୋଦିଙ୍କ ଲୋକପ୍ରିୟତା, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଗ୍ରହଣୀୟତା, ବିଜେପି ସଂଗଠନର ସ୍ଥିତି, କେନ୍ଦ୍ରର କୋଭିଡ୍ ନୀତି । ଏଭଳି ଏକାଧିକ ପ୍ରସଙ୍ଗରେ ଆସିପାରେ ଜନତାଙ୍କ ରାୟ । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା କେମିତି ଅଛି? ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଭୋଟରଙ୍କୁ କେତେ ପ୍ରଭାବିତ କଲେ? ମହାମାରୀ ସମୟରେ କେନ୍ଦ୍ରର ସହାୟତା ନେଇ ଓଡ଼ିଶା ଭୋଟର୍ କେତେ ଖୁସ୍? ଏହି ତମାମ୍ ଦିଗ ଉପରେ ହୁଏତ, ବାଲେଶ୍ୱର ଓ ତିର୍ତୋଲ ଭୋଟର୍ ତାଙ୍କର ଦେଇଛନ୍ତି । ଯାହାର ଫଳାଫଳ ଆସିବ

କଂଗ୍ରେସ ପାଇଁ ମଧ୍ୟ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନ ଫଳାଫଳ ଏକ ନୂଆ ରାଜନୈତିକ ଦିଗ ପାଇଁ ବାଟ ଦେଖାଇପାରେ । କାରଣ, ବାଲେଶ୍ୱରରେ ମହିଳା ପ୍ରାର୍ଥୀ ଏବଂ ତିର୍ତୋଲରେ ଯୁବ ନେତୃତତ୍ୱକୁ ନେଇ ପରୀକ୍ଷା-ନିରୀକ୍ଷା କରିଛି କଂଗ୍ରେସ । କଂଗ୍ରେସ ଭୋଟ୍ ବ୍ୟାଙ୍କ, ନୂଆ ଚେହେରା-ଯୁବ ଚେହେରା, ଚେଲାକୁମାରଙ୍କ ରଣନୀତି । ଏହି ପ୍ରମୁଖ ପ୍ରସଙ୍ଗ ଉପରେ କଂଗ୍ରେସ ପାଇଁ ଆସିବ ନିର୍ଣ୍ଣାୟକ ରାୟ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଜନତାଙ୍କ ସାମ୍ନାରେ ଆଣିବାରେ କେତେ ସଫଳ କଂଗ୍ରେସ? କଂଗ୍ରେସ ଭୋଟ୍ ବ୍ୟାଙ୍କ୍ ଅତୁଟ ଅଛି ନା ନାହିଁ? ଚେଲାକୁମାର ପ୍ରଭାରୀ ହେବା ପରେ କେତେ କାମ କଲା ପିସିସି ସଭାପତିଙ୍କ ରଣନୀତି? ଏଭଳି ଏକାଧିକ ପ୍ରଶ୍ନ, ଉତର ଏହି ଦୁଇଟି ଉପ-ନିର୍ବାଚନ ଫଳାଫଳରୁ ହୁଏତ ସ୍ପଷ୍ଟ ହୋଇଯିବ ।

କୋଭିଡ୍ କାଳରେ ଓଡ଼ିଶାରେ ହୋଇଥିବା ପ୍ରଥମ ନିର୍ବାଚନ କାହା ସପକ୍ଷରେ ଯାଉଛି? ବାଲେଶ୍ୱରରେ କିଏ ମାରିବ ବାଜି? କାହାକୁ ବାଛିଲା ତିର୍ତୋଲ? ଫଳାଫଳ ଆସିବା ପରେ ତାହା ସ୍ପଷ୍ଟ ହୋଇଯିବ ଓ ଲୋକଙ୍କ ମୁଡ ସାମ୍ନାକୁ ଆସିବ ।