ସରୁନି ଗଣତି, ଚାଲିଛି ଚଢାଉ, ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି ଅଧିକାରୀ ।

185

କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ଆଜି ରବିବାର ଛୁଟି ଦିନରେ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ । ଆଜି ଟଙ୍କା ଗଣତି ଶେଷ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ । ଟଙ୍କା ଗଣତି ଶେଷ ହେବା ପରେ ମୋଟ କେତେ ଟଙ୍କା ଜବତ ହୋଇଛି ଜଣାପଡ଼ିବ ।

ଗତକାଲି ଶନିବାର ଛୁଟି ଦିନରେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୫୦ରୁ ଅଧିକ କର୍ମଚାରୀ । ତଦାରଖ କରିବା ପାଇଁ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ । ୨୫ଟି ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନ୍କୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି ।