୧୯ରୁ ମିଳିବ ବାରବାଟୀ ଟିକେଟ୍ । ପରିଚୟପତ୍ର ଦେଖାଇଲେ ଜଣକା ମିଳିବ ୨ଟି ଟିକେଟ୍, ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଲାଗିବ ପୂରା ଟିକେଟ୍ ।

594

କନକ ବ୍ୟୁରୋ : ବାରବାଟୀ ଟିକେଟ୍ ପାଇଁ ୧୨ଟି କାଉଣ୍ଟରର ବ୍ୟବସ୍ଥା । ପ୍ରତିବର୍ଷ ୪ଟି କାଉଣ୍ଟରରେ ଟିକେଟ୍ ମିଳୁଥିବା ବେଳେ ଚଳିତ ବର୍ଷ ଦର୍ଶକଙ୍କ ପାଇଁ ୧୨ଟି କାଉଣ୍ଟରରେ ମିଳିବ ଟିକେଟ୍ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ । ଆଉ ଏଥିପାଇଁ ଆସନ୍ତା ୧୯ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ ।

ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଉ କିଛି ଦିନ ପରେ ଅଫଲାଇନରେ ଟିକେଟ୍ କିଣିପାରିବେ ଦର୍ଶକ । ତେବେ ୧୨ଟି କାଉଣ୍ଟରରେ ମୋଟ୍ ୧୦ ହଜାର ୫୦ଟି ଟିକେଟ୍ ବିକ୍ରି କରାଯିବ । ଆଉ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଲାଗିବ ପୂରା ଟିକେଟ୍ । ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ ।

ତେବେ ଯେଉଁମାନେ ଟିକେଟ୍ କିଣିବେ ସେମାନଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ହେବ । ଆଉ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ନେଇପାରିବେ । ଏହା ସହ ପ୍ରତି ଗ୍ୟାଲେରୀରେ ହେଲ୍ପ ଡେସ୍କ ରଖିବା ନେଇ ସୂଚନା ଦେଇଛି ଓସିଏ ।

ସକାଳ ୭ଟା ପୂର୍ବରୁ ଟିକେଟ୍ ପାଇଁ ଧାଡି କରିବାକୁ ଦିଆଯିବ ନାହିଁ । ସେହିପରି ଡିସେମ୍ବର ୨୨ ତାରିଖ ଦିନ ୨ଟା ୩୦ ମିନିଟରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ସକାଳ ୯ଟା ୩୦ରେ ଗେଟ୍ ଖୋଲାଯିବ । ଅନ୍ୟପଟେ ଡିସେମ୍ବର ୧୬ ତାରିଖ ସୁଦ୍ଧା ବାରବାଟୀ ଷ୍ଟାଡିୟମର ସମସ୍ତ ମରାମତି କାମ ଶେଷ ହେବ ବୋଲି କହିଛି ଓଡିଶା କ୍ରିକେଟ୍ ଆସୋସିଏସନ୍ ।

ତେବେ ୨୨ ତାରିଖରେ ମ୍ୟାଚ୍ ଥିବା ବେଳେ ଏହା ପୂର୍ବରୁ ଉଭୟ ଭାରତ ଏବଂ ୱେଷ୍ଟଇଣ୍ଡିଜ ଦଳ ନେଟ୍ ପ୍ରାକ୍ଟିସ୍ କରିବେ । ୨୦ ଏବଂ ୨୧ ତାରିଖ ଦୁଇ ଦିନ ଧରି ଦୁଇ ଦଳ ଅଭ୍ୟାସ କରିବେ । ଟିମ୍ ଇଣ୍ଡିଆର ଅଭ୍ୟାସ ସମୟ ହେଉଛି ଦିନ ୨ଟା ଏବଂ ୫ଟା । ସେହିପରି ୱେଷ୍ଟଇଣ୍ଡିଜ ଦଳର ନେଟ୍ ପ୍ରାକ୍ଟିସ ସମୟ ହେଉଛି ସକାଳ ୯ଟା ଏଭଂ ଦିନ ୧୨ଟା । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।